Sss

“ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା  (୧୨/୦୬) :   ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଅବସରରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ଅଧୀନରେ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ବର୍ତ୍ତମାନ ୧୦ କିଲୋଗ୍ରାମ ଲେଖାଏଁ ଚାଉଳ ପ୍ରଦାନ କରାଯିବ। ପୂର୍ବରୁ ହିତାଧିକାରୀ ପିଛା ୫ କିଲୋଗ୍ରାମ ଚାଉଳ ମିଳୁଥିବା ବେଳେ ଏହି ଯୋଜନା ଦ୍ୱାରା ଏହାକୁ ଦ୍ୱିଗୁଣିତ କରାଯାଇଛି, ଯାହା ଦରିଦ୍ର ଓ ଅସହାୟ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।
ଏହି ଅବସରରେ ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍) ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ୱରସ୍ଥ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଜନସାଧାରଣ, ହିତାଧିକାରୀ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଭିଡିଓ ମାଧ୍ୟମରେ ଅବଲୋକନ କରିଥିଲେ।
ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଭାସ୍କର ମଢେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହି ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ଲକ୍ଷାଧିକ ପରିବାରକୁ ଉପକୃତ କରିବ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼. ବୁଢାନ ମୁର୍ମୁ ଏବଂ ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ଜିଲ୍ଲାର ୧୦ ଜଣ ନୂତନ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା। ଅତିଥିମାନେ ନୂତନ କାର୍ଡ ବଣ୍ଟନ କରି ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଲୋକ, ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ହିତାଧିକାରୀ ଏବଂ ସାଧାରଣ ଜନସାଧାରଣ ଯୋଗଦେଇଥିଲେ।