IMG 20260612 WA0179

“ବିକାଶର ଧାରା, ଓଡ଼ିଶା ସାରା” ଅବସରରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ

ରାଜ୍ୟ
*ଓଡ଼ିଶାର ଦୁଇ ବର୍ଷର ବିକାଶ ଯାତ୍ରା, ସୁଶାସନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ବିସ୍ତୃତ ମତବିନିମୟ*
ବାରିପଦା, (୧୨/୦୬):  ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ “ବିକାଶର ଧାରା, ଓଡ଼ିଶା ସାରା” ଅନ୍ତର୍ଗତ ଆଜି ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନଠାରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ରାଜ୍ୟ ସରକାରଙ୍କ ଗତ ଦୁଇ ବର୍ଷର ବିକାଶମୂଳକ ସଫଳତା, ସୁଶାସନ ଏବଂ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
IMG 20260612 WA0169
ଏହି ଆଲୋଚନା ଚକ୍ରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ରାଜ୍ୟର ବିକାଶ ଯାତ୍ରା, ଜନମୁଖୀ ଶାସନ ବ୍ୟବସ୍ଥା ଏବଂ ଲୋକକଲ୍ୟାଣମୂଳକ ଯୋଜନାଗୁଡ଼ିକର ପ୍ରଭାବ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ।
ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଜନକୈନ୍ଦ୍ରିକ ନୀତି ଏବଂ ସମାବେଶୀ ବିକାଶ ଦୃଷ୍ଟିଭଙ୍ଗୀ ଫଳରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଜନଜାତି କଲ୍ୟାଣ, ଭିତ୍ତିଭୂମି ବିକାଶ, ରୋଜଗାର ସୃଷ୍ଟି ଏବଂ ଯୁବ ବିକାଶ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ରାଜ୍ୟର ସାମଗ୍ରିକ ବିକାଶକୁ ନୂତନ ଦିଗ ପ୍ରଦାନ କରିଛି।
ଆଲୋଚନା ଚକ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଡିଜିଟାଲ୍ ଶାସନ ବ୍ୟବସ୍ଥା, ସ୍ୱଚ୍ଛ ଓ ଉତ୍ତରଦାୟୀ ପ୍ରଶାସନ, ମୌଳିକ ସେବାର ସମ୍ପ୍ରସାରଣ ଏବଂ ଦୁର୍ବଳ ବର୍ଗର ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବିସ୍ତୃତ ଆଲୋକପାତ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ସମାଜର ସମସ୍ତ ବର୍ଗର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ବଳିତ ସୂଚନାମୂଳକ ସାମଗ୍ରୀ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ଖୋଲାଯାଇ ପ୍ରଦର୍ଶିତ କରାଯାଇଥିଲା ।ଉପସ୍ଥିତ ବ୍ୟକ୍ତିବିଶେଷମାନେ ଓଡ଼ିଶାର ବିକାଶ ଓ ସମୃଦ୍ଧି ଦିଗରେ ସରକାରଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ କର୍ମୀ, ଯୁବ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବହୁ ସଂଖ୍ୟକ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।