ବାରିପଦା : ବାରିପଦା ଷ୍ଟାଡିୟମ୍ ସମ୍ମିଳନୀ କକ୍ଷରେ ସାଇ କଳା ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଗ୍ରୀଷ୍ମକାଳୀନ କଳା ଶିବିର ଉଦଯାପିତ ହୋଇଯାଇଛି I ଚଳିତ ମାସ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଏହି ଶିବିରରେ କଳା, ଚିତ୍ର ବାଲୁକା କଳା, ପେପର କ୍ରାଫ୍ଟ, ବୋଟଲ ପ୍ରିଣ୍ଟ, କାନଭାସ ପେଣ୍ଟିଂ ଏବଂ ଗ୍ଲାସ୍ ପେଣ୍ଟିଂ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା I ଏହି ଶିବିରରେ ୧୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଶେଷ ଭାବରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ମଧ୍ୟ ଦୁଇ ଦିନ ବାଲୁକା କଳା ଉପରେ ପ୍ରଶିକ୍ଷଣ ଦେଇଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଯୋଗଦେଇ କଳା କେବଳ ଏକ ଅଭ୍ୟାସ ନୁହଁ ବରଂ ଏହା ପିଲାଙ୍କ ସୁସ୍ଥ ମାନସିକତା ତିଆରି କରିବା ପାଇଁ ଏକ ମାଧ୍ୟମ ଏବଂ ମୋବାଇଲର ଅଧିକ ବ୍ୟବାହରରୁ ପିଲାଙ୍କୁ ଦୁରେଇ ରଖିବାର ଏକ ବିକଳ୍ପ ବୋଲି ପ୍ରକାଶ କରିଥିଲେ I
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ସୋମନାଥ ସିଂହ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତୀୟ ରଗବୀ ରେଫରୀ ଦିବ୍ୟରଞ୍ଜନ ଦାସ ଏବଂ ଅନ୍ତର୍ଜାତୀୟ ରଗବି ଖେଳାଳୀ ପାର୍ବତୀ ହାଁସଦା ଉପସ୍ଥିତ ଥିଲେ I ନିକଟ ଅତୀତରେ ପାର୍ବତୀ ହାଁସଦା ଭାରତୀୟ ରଗବି ଦଳର ଅଧିନାୟିକା ଭାବରେ ଦାୟିତ୍ଵ ତୁଲାଇ ଆମ ଓଡିଶା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ଶିକ୍ଷକ ହରେନ୍ଦ୍ର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏକାଡେମୀ ର ନିର୍ଦ୍ଦେଶକ ଶିଳ୍ପୀ ରାଜକିଶୋର ମହାନ୍ତ ସ୍ବାଗତ ଭାଷଣରେ ସାଇ କଳା ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ I ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ସାଇ କଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା I
ଶେଷରେ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଶିକ୍ଷୟତ୍ରୀ ସୁଶ୍ରୀ ଅପର୍ଣ୍ଣା ପାତ୍ର, ଐଶର୍ଯ୍ୟା ବୁଲବୁଲ, ସୁଭ୍ରା ମହାନ୍ତି ଏବଂ ଅନୁଷ୍ଠାନର ସଦସ୍ୟ ରବୀନ୍ଦ୍ରନାଥ ଦାସ, ବିନୋଦ ପଲେଇ, ସତ୍ୟବ୍ରତ ରାଉତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସର୍ବ ଶେଷରେ ଅଧ୍ୟକ୍ଷା ବନପ୍ରଭା ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ I
