ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା ଅବଧି ବୃଦ୍ଧି

ରାଜ୍ୟ
  • ଜୁନ୍ ୧୫ ପର୍ଯ୍ୟନ୍ତ ୧୧ରୁ ୪ଟା ଯାଏଁ ଯାତାୟତ ବନ୍ଦ ରହିବ 
ବାରିପଦା : ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ପାଇଁ ସତର୍କତା ପଦକ୍ଷେପ ସ୍ଵରୁପ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ପ୍ରତ୍ୟେକ ସପ୍ତାହରେ ବୁଧବାରରୁ  ଶନିବାର ପର୍ଯ୍ୟନ୍ତ ଦିନ ୧୧ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ଏହି ରାସ୍ତା ମଧ୍ୟ ଦେଇ ଯିବାଆସିବା ବନ୍ଦ ରହିବ । ଏହି ଦିନ ମାନଙ୍କରେ ଦ୍ଵାରଶୁଣୀ ଘାଟିକୁ ଯୋଡୁଥିବା ଉଭୟ ବାଙ୍ଗିରିପୋଷି ଓ ବିଶୋଇ ପାର୍ଶ୍ଵରେ ଥିବା ପ୍ରବେଶ ପଥ ବନ୍ଦ ରହିବ । ଯେକୌଣସି ଯାନବାହାନ(ଦୁଇ ଚକିଆରୁ ଉର୍ଦ୍ଧ୍ୱ ସମସ୍ତ ଯାନ) ଓ ପଥଚାରୀ ମାନେ ଏହି ସମୟରେ ଯାତାୟାତ କରି ପାରିବେ ନାହିଁ ।
ଏହାସହ ଘାଟୀ ଆଖପାଖରେ ଗାଇଛେଳି ଚାରଣ କରାଇବା ମଧ୍ୟ ବାରଣ କରାଯାଇଛି । ସେହିପରି ଆମ୍ବୁଲାନ୍ସ ଓ ଦମକଳବାହିନୀ ଯାନ ତଥା ବିଭିନ୍ନ ଜରୁରୀକାଳୀନ ଯାନ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରୁ ଅନୁମତି ମିଳିବା ପରେ ହିଁ ଯାତାୟତ କରିପାରିବେ । କିନ୍ତୁ ସାଧାରଣ ଲୋକଙ୍କ ଯାନ ତଥା ପରିବହନକାରୀ ଯାନ କଟକଣା ସମୟରେ ଉପଯୁକ୍ତ ପାର୍କିଂ ସ୍ଥାନରେ ରହି ଅପେକ୍ଷା କରିବାକୁ ପଡିବ । କଟକଣା ସମାପ୍ତ ହେବା ପରେ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସାଧାରଣ ଲୋକଙ୍କ ଯାନକୁ ଯାତାୟତ ପାଇଁ ଛଡାଯିବ । ତେବେ କ୍ଷୁଦ୍ର ଯାନ ବ୍ୟବହାରକାରୀ ସାଧାରଣ ଲୋକ ସୁଗମ ଯାତାୟାତ ପାଇଁ  ବ୍ୟବସ୍ଥା ଅନୁଯାୟୀ ବିଶୋଇ-ଅର୍ଗଳବିନ୍ଦା-ଶଙ୍ଖାଭଙ୍ଗା-ଯୋକା-ଚନ୍ଦନପୁର-କତରା ଛକକୁ ବିକଳ୍ପ ରାସ୍ତା ଭାବରେ ବ୍ୟବହାର କରିପାରିବେ । ଯେକୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପୋଲିସ ମୁତୟନ କରିବାକୁ ବିଶୋଇ ଓ ବାଙ୍ଗିରିପୋଷି ଥାନାକୁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରାଯାଇଛି ।