- ଏନସିଇଆରଟିର ସାନ୍ତାଳୀ ପାଠ୍ୟ ପୁସ୍ତକରେ ଅଲଚିକି ଲିପି ପ୍ରଚଳନ ପାଇଁ ଦାଵୀ
ବାରିପଦା : ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନ ର ଏକ ପ୍ରତିନିଧି ଦଳ ସୁଲୋଚନା ହାଁସଦାଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ସାକ୍ଷାତ କରିଛନ୍ତି । ପ୍ରତିନିଧି ଦଳ ଏନସିଇଆରଟି ଦ୍ୱାରା ପ୍ରକାଶିତ ସାନ୍ତାଳୀ ପାଠ୍ୟପୁସ୍ତକରେ ଦେବନାଗରୀ ଲିପିର ବ୍ୟବହାର ଉପରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ପ୍ରଚଳନ ପାଇଁ ଦାଵୀ କରିଥିଲେ।
ଏହି ସାକ୍ଷାତକାର ୧୫ ଓ ୧୬ ଫେବୃଆରୀ ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ଅଲଚିକି ଶତବାର୍ଷିକୀ ଉତ୍ସବ (୧୯୨୫–୨୦୨୫) ପରେ ରାଷ୍ଟ୍ରପତିଙ୍କ ସହ ପ୍ରଥମ ସାକ୍ଷାତକାର ଥିଲା। ପ୍ରତିନିଧି ଦଳ ଅଲଚିକି ଶତବାର୍ଷିକୀ ଉତ୍ସବ ସଫଳ କରିବାରେ ରାଷ୍ଟ୍ରପତିଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ସେହିପରି ପ୍ରତିନିଧି ଦଳ ୨୦୨୬–୨୭ ଶିକ୍ଷାବର୍ଷରୁ ସିବିଏସଇ ପାଠ୍ୟକ୍ରମରେ ସାନ୍ତାଳୀ ଭାଷାର ଅନ୍ତର୍ଭୁକ୍ତ ପାଇଁ ମଧ୍ୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାକୁ ସେମାନେ ସାନ୍ତାଳୀ ଭାଷାରେ ଶିକ୍ଷାର ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ।
ଏହି ଅବସରରେ ସୁଲୋଚନା ହାଁସଦା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ସାନ୍ତାଳୀ ଝାଲ୍ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷା ଓ ଓଲଚିକି ଲିପିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂଗଠନମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ।
ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ଏନସିଇଆରଟି ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଦ୍ୱାରା ସାନ୍ତାଳୀ ଭାଷାର ପୁସ୍ତକଗୁଡ଼ିକୁ ଦେବନାଗରୀ ଲିପିରେ ପ୍ରକାଶ କରାଯିବା ଉପରେ ଉଦବେଗ ପ୍ରକାଶ କରାଯାଇଥିଲା। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ଅଲଚିକି, ଯାହାକି ଙ୍କ ଦ୍ୱାରା ଉଦ୍ଭାବିତ, ସାନ୍ତାଳୀ ଭାଷାର ବୈଜ୍ଞାନିକ ଓ ପ୍ରାମାଣିକ ଲିପି ଏବଂ ଏହା ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ଝାରଖଣ୍ଡରେ ଦୀର୍ଘ ଦିନ ଧରି ବ୍ୟବହୃତ ହେଉଛି।
ପ୍ରତିନିଧି ଦଳ ସାନ୍ତାଳୀ ପାଠ୍ୟପୁସ୍ତକ, ପାଠ୍ୟକ୍ରମ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀରେ ଅଲଚିକି ଲିପିର ପ୍ରଚଳନ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ଓ ପ୍ରତିନିଧି ଦଳ ମଧ୍ୟରେ ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରଚାର ପ୍ରସାର ନେଇ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସାନ୍ତାଳ ମାନଙ୍କର ଧର୍ମୀୟ ସ୍ଥଳୀ ‘ଜାହେର ଗାଳ୍’ ସ୍ଥାପନାର ପ୍ରସ୍ତାବ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ପ୍ରତିନିଧି ଦଳରେ ମାଙ୍ଗାତ ମୁର୍ମୁ, ଅନୁପ ମାଝୀ, ଡଃ ରଜନୀକାନ୍ତ ମାଣ୍ଡି, ଡଃ ଫୁଦାନ ସୋରେନ, ସୋମନାଥ ହାଁସଦା, ସୁଲୋଚନା ହାଁସଦା, କବିତା ହାଁସଦା, କରୁଣାକର ହାଁସଦା, ସିଙ୍ଗରାୟ ମୁର୍ମୁ, ରତିକାନ୍ତ ମୁର୍ମୁ, ଚୁଡ଼ାମଣି ମୁର୍ମୁ, ରାଇମୋହନ ଟୁଡୁ, ରୀତା ଟୁଡୁ, ଜୟଶ୍ରୀ ଟୁଡୁ, ନୁନାରାମ ହାଁସଦା ଓ ବେଲରାଣୀ ହାଁସଦା ପ୍ରମୁଖ ସାମିଲ ଥିଲେ।
