- ନିୟମିତ ବ୍ୟବଧାନରେ ରକ୍ତଚାପ ପରୀକ୍ଷା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ ପାଇଁ ଆହ୍ୱାନ
ବାରିପଦା : ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ନିୟମିତ ପରୀକ୍ଷା, ସୁସ୍ଥ ଖାଦ୍ୟାହାର, ବ୍ୟାୟାମ ଓ ସଠିକ୍ ଜୀବନଶୈଳୀ ଅନୁସରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଡା. ମହନ୍ତ ଉଚ୍ଚ ରକ୍ତଚାପକୁ “ନିରବ ଘାତକ” ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ନିୟମିତ ବ୍ୟବଧାନରେ ରକ୍ତଚାପ ପରୀକ୍ଷା କରାଇବା ସହ ସୁସ୍ଥ ଜୀବନଶୈଳୀ ଅନୁସରଣ ପାଇଁ ଆହ୍ୱାନ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବାସ ଚନ୍ଦ୍ର ନାୟକ ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରତି ଛଅ ମାସରେ ନିୟମିତ ରକ୍ତଚାପ ପରୀକ୍ଷା କରାଇବାକୁ ଅନୁରୋଧ କରିଥିଲେ ।
ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଶଶିକାନ୍ତ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅନିୟମିତ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟାହାର ଓ ମାନସିକ ଚାପ ଉଚ୍ଚ ରକ୍ତଚାପର ପ୍ରମୁଖ କାରଣ । ନିୟମିତ ବ୍ୟାୟାମ, ସୁସ୍ଥ ଖାଦ୍ୟାହାର ଓ ଧୂମପାନ-ମଦ୍ୟପାନରୁ ଦୂରରେ ରହିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ କହିଥିଲେ ଯେ, ସଚେତନତା ଓ ନିୟମିତ ସ୍କ୍ରିନିଂ ମାଧ୍ୟମରେ ଉଚ୍ଚ ରକ୍ତଚାପକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରିବ । ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ହୃଦରୋଗ ଓ ଷ୍ଟ୍ରୋକ୍ ଭଳି ଜଟିଳ ରୋଗର ଝୁମ୍ପ କମିପାରିବ ବୋଲି ସେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁନନ୍ଦା ମିଶ୍ର କହିଥିଲେ ଯେ, ପରିବାର କଳ୍ୟାଣ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଚେତନତା ଓ ସ୍କ୍ରିନିଂ କାର୍ଯ୍ୟକ୍ରମ ଚାଲିଛି । ନିୟମିତ ଫଲୋ-ଅପ୍ ଓ ଡାକ୍ତରଙ୍କ ପରାମର୍ଶ ମାନିଲେ ସୁସ୍ଥ ଜୀବନଯାପନ ସମ୍ଭବ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ରାଇରଙ୍ଗପୁର, ବହଳଦା ଓ ଶାମଖୁଣ୍ଟା ବ୍ଲକକୁ ଉଚ୍ଚ ରକ୍ତଚାପ ପରୀକ୍ଷା, ଚିକିତ୍ସା ଓ ପରବର୍ତ୍ତୀ ଯାଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଅଣ-ସଂକ୍ରାମକ ରୋଗ ବିଭାଗର ଡା. ଜ୍ଞାନେନ୍ଦ୍ର ମହାନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଅନିଲ କୁମାର ମହାନ୍ତି, ଧନୁ ମୁର୍ମୁ ଓ ଗଣେଶ୍ୱର ମହାନ୍ତି ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସେହିପରି ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଏଏନଏମମାନେ ଯୋଗଦେଇ ଜନସାଧାରଣଙ୍କୁ ରକ୍ତଚାପ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
