IMG 20260502 WA0053

ଆନ୍ତର୍ଜାତିକ ଶ୍ରମିକ ଦିବସ -୨୦୨୬ ଉପଲକ୍ଷେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ 

ରାଜ୍ୟ
ବାରିପଦା : ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଗତକାଲି  ପି.ସି.ଏମ. କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି।  ପ୍ରଭାଗୀୟ ଶ୍ରମ ଆୟୁକ୍ତ, ମୟୂରଭଞ୍ଜ,ଶ୍ରୀ ନରେନ୍ଦ୍ର ଗାଇପାଇଙ୍କ ତତ୍ୱାବଧାନରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ  ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ସମର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଚନ୍ଦନ ମାଝୀ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦିଲ୍ଲୀପ ହାଁସଦା ପ୍ରମୁଖ ମଂଚାସୀନ ଥିଲେ।
      ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଏହି ଦିବସ ପାଳନର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖି ନିର୍ମାଣ ଶ୍ରମିକ ମାନଙ୍କ  ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।  ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ନିର୍ମାଣ ଶ୍ରମିକ ଆଇନ ଏବଂ ଅଧିକାର ବିଷୟରେ ବକ୍ତବ୍ୟ ରଖି କହିଥିଲେ ଯେ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରର କଲ୍ୟାଣ ଦିଗରେ ସୁନିଶ୍ଚିତତା ତଥା ଶ୍ରମିକଙ୍କ ଅଧିକାର ଓ ତା’ଙ୍କ ପରିବାରକୁ ସୁରକ୍ଷା ପ୍ରଦାନର ପରିକଳ୍ପନା, ସରକାରଙ୍କ ସମ୍ବେଦନଶୀଳ ଚିନ୍ତାଧାରାର ଏକ ଅନନ୍ୟ ନିଦର୍ଶନ ଏବଂ ସରକାର ଏଥି ନିମନ୍ତେ ସର୍ବଦା ପ୍ରତିଶ୍ରୁତିବଦ୍ଧ. ଶ୍ରମିକ କଲ୍ୟାଣ ଯୋଜନାରେ ସଂଗଠିତ ଓ ଅଣସଂଗଠିତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଉଲ୍ଲେଖ କରିଥିଲେ।
     ମୁଖ୍ୟ ଅତିଥି ବିଧାୟକ  ଶ୍ରୀ ହାଁସଦା ତା’ଙ୍କ ଅଭିଭାଷଣ ରେ କହିଥିଲେ କି, ଏକ ବିକଶିତ ରାଜ୍ୟ ଏବଂ ବିକଶିତ ରାଷ୍ଟ୍ର ଗଠନରେ ଶ୍ରମିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ରାଷ୍ଟ୍ର ଗଠନରେ ଶ୍ରମିକଟି ଯେଉଁ ଶ୍ରମ ଦାନ କରିଥାଏ, ସେହି ଶ୍ରମର ମୂଲ୍ୟ ଅକଳନୀୟ ଓ ଅବଦାନ ଅତୁଳନୀୟ ।ସେହିପରି ମଂଚାସୀନ ଅନ୍ୟାନ୍ୟ ଅତିଥିବୃନ୍ଦ ଶ୍ରମିକ କଲ୍ୟାଣ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ କିପରି ଅଧିକ ରୁ ଅଧିକ ହେବ ସେ ସମ୍ଭନ୍ଧ ରେ ସଚେତନତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ.
        ଏହି ଅବସରରେ ଅତିଥିବୃନ୍ଦ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୪ ଜଣ ହିତାଧିକାରୀଙ୍କ ପରିବାର ବର୍ଗଙ୍କୁ ଅନ୍ତ୍ୟଷ୍ଟିକ୍ରିୟା ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ରାଶି ଓ ଜଣେ ହିତାଧିକାରୀଙ୍କୁ ତା’ଙ୍କ କନ୍ୟା ବିବାହ ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କୁ ତାଙ୍କର କାର୍ଡ ପ୍ରଦାନ କରିଥିଲେ.
   ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଗୋବିନ୍ଦ ସୋରେନ, ତନ୍ମୟ ବସା, ସୌମିତ ମହାନ୍ତ, ବିଷ୍ନୁପ୍ରିୟା ନାୟକ, ଶୋଭା ମାର୍ଣ୍ଡି, ସୁବାସ ସୋରେନ ଓ ସ୍ମୃତିରେଖା ନାଥ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଏବଂ ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ଦିଲ୍ଲୀପ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ବିଭାଗୀୟ ପଦାଧିକାରୀ,କର୍ମଚାରୀ,
ଶ୍ରମିକ ସଂଗଠନର କର୍ମକର୍ତ୍ତା,ନିର୍ମାଣ ଶ୍ରମିକଙ୍କ ସମେତ ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.