ଭୁବନେଶ୍ୱର, ୨୫/୪ (ନି.ପ୍ର): ସ୍ଥାନୀୟ ୟୁନିଟ-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଏକ ବିଦ୍ୟାଳୟ ଭିତ୍ତିକ ଆଲୋଚନା ଚକ୍ର ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରସ୍ୱତ ସଂଗଠକ ତଥା ‘ପୂଜ୍ୟ ପୂଜା ଓଡ଼ିଶା’ର ସମ୍ପାଦକ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଶ୍ରୀ ମିଶ୍ର ପୂଜ୍ୟ ପୂଜାର ମହନୀୟତା ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କୁ ଓଡ଼ିଶା ରାଜନୀତିର ଏକ ‘କିମ୍ବଦନ୍ତୀ ପୁରୁଷ’ ଭାବେ ଅଭିହିତ କରିଥିଲେ। ଏଥିସହିତ ସୁସାହିତ୍ୟିକ ସାତକଡ଼ି ହୋତା ଓ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ତଥା ବାଗ୍ମୀ ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ସାତକଡ଼ି ହୋତା ଓଡ଼ିଶାରେ ରେଳବାଇ ବିକାଶର ମୁଖ୍ୟ କର୍ଣ୍ଣଧାର ଥିଲେ ଏବଂ କବି ପ୍ରସାଦ ମିଶ୍ର ଜଣେ ସୁସାହିତ୍ୟିକ, ସୁବକ୍ତା ଓ ପ୍ରାଚୀନ ସାହିତ୍ୟର ଜଣେ ବିଦ୍ୱାନ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତା ପ୍ରକାଶ କରିଥିଲେ।
ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। “ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି” ବୋଲି ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ସୁଷମା ମହାପାତ୍ର ଓ ବରିଷ୍ଠ ଶିକ୍ଷକ ମଧୁସୂଦନ ଦାଶ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ଶାନ୍ତିପାଠ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।
