IMG 20260421 WA0540

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିବାହ ବନ୍ଧନରେ ଆବଦ୍ଧ ହେଲେ ୫୭ ଯୋଡ଼ି

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ୫୭ ଯୋଡ଼ି ବର ଓ ବଧୂ ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ ଏହା ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଏକ ଉତ୍ସବ। ଏପରି ଅନନ୍ୟ କାର୍ଯ୍ୟକ୍ରମ ରାଜ୍ୟ ସରକାର ସାମାଜିକ ଦାୟିତ୍ୱବୋଧତାର ଏକ ଉଜ୍ଜ୍ୱଳ ଉଦାହରଣ। ଏହା ମାଧ୍ୟମରେ ସମସ୍ତ ବର୍ଗର ଲୋକଙ୍କ ବିବାହ ସ୍ୱପ୍ନ ସାକାର ହେଉଛି ଓ ସମାଜରେ ଆର୍ଥିକ ଅସମାନତା କମେଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସରକାର ସର୍ବଦା ଗରିବ ଅଧିବାସୀ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସମ୍ମାନିତ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଯୋଗଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳର ଦୁର୍ବଳ ପରିବାର ପାଇଁ ଏହା ଏକ ବଡ଼ ସହାୟତା। ଏହା ସହ ନାରୀ ସଶକ୍ତିକରଣରେ ମଧ୍ୟ ଏକ ମାଇଲଖୁଣ୍ଟର ସ୍ୱାକ୍ଷର ବହନ କରିବ । ଏହାସହ ସେ ନବଦମ୍ପତ୍ତିଙ୍କୁ ସୁଖମୟ ଓ ସମୃଦ୍ଧ ଜୀବନ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହିପରି ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ତାଙ୍କ ଅଭିଭାଷଣରେ ଏହି ଯୋଜନାକୁ ସମାଜ ପାଇଁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସମୂହ ବିବାହ ପ୍ରଥା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ କମିଥାଏ ଓ ସମାଜରେ ସାମାଜିକ ସମାନତା ବୃଦ୍ଧି ପାଏ ବୋଲି କହିଛନ୍ତି।
ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେଇ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ସର୍ବଦା ଲୋକଙ୍କ ହିତରେ କାର୍ଯ୍ୟ କରୁଛି। ବିଶେଷକରି ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ବିଶେଷ ଭାବରେ ଲାଭାନ୍ବିତ ହେଉଛନ୍ତି । ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବରେ ଏହା ସହାୟକ ହୋଇପାରିବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ ସୟ୍ ସେ ଆଶାବ୍ୟକ୍ତ କରିଛନ୍ତି ।
ଆଜିର ଏହି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦମ୍ପତିଙ୍କୁ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅନୁସାରେ ପ୍ରତ୍ୟେକ କନ୍ୟାଙ୍କୁ ସରକାର ପକ୍ଷରୁ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରୁ ୪୫,୦୦୦ ଟଙ୍କା ଡିବିଟି ମାଧ୍ୟମରେ ସିଧାସଳଖ ଭାବରେ କନ୍ୟାଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଓ ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ସମ୍ପର୍କିତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆର୍.ଡି.ଏ.ସି(RDAC:- Rural Development Action Cell) କୁ ପ୍ରଦାନ କରାଯାଉଛି ।
ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ବ୍ୟବସ୍ଥା— ଯଥା ଆସନ ବ୍ୟବସ୍ଥା, ପୂଜା ପାଠ, ଭୋଜନ ବ୍ୟବସ୍ଥା, ପାନୀୟ ଜଳ, ଚିକିତ୍ସା ସୁବିଧା ଓ ସୁରକ୍ଷା ବ୍ୟବସ୍ଥା  ବନ୍ଦବୋସ୍ତ କରାଯାଇଥିଲା। ନବଦମ୍ପତ୍ତିମାନଙ୍କ ପରିବାରସଦସ୍ୟ ଓ ଆତ୍ମୀୟସ୍ୱଜନମାନଙ୍କ ସହଭାଗୀତାରେ ସମଗ୍ର କାର୍ଯ୍ୟକ୍ରମ ଆନନ୍ଦମୟ ପରିବେଶରେ ସଫଳତାର ସହିତ ସମ୍ପନ୍ନ ହୋଇଛି ।
 ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ l  ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି, ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବୁରୁଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । ଏହାସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଏଠାରେ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।