ଭୁବନେଶ୍ୱର: ସନାତନ ଧର୍ମର ମହାନ୍ ସଂସ୍କାରକ ତଥା ଅଦ୍ୱୈତ ବେଦାନ୍ତର ପ୍ରତିଷ୍ଠାତା ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଜୟନ୍ତୀ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ଶ୍ରଦ୍ଧା ଓ ଗୌରବର ସହ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଓଡ଼ିଶା ଲେଖକ ସମବାୟ ସମିତି ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଦର୍ଶନ ଉପରେ ଆଲୋକପାତ କରିଥିଲେ।
ଏହି ଜୟନ୍ତୀ ଉତ୍ସବରେ ଭୁବନେଶ୍ୱର ଶାଖାର ସଭାପତି ଶ୍ରୀ ରମାକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ, ଆଦି ଶଙ୍କର କେବଳ ଜଣେ ସନ୍ନ୍ୟାସୀ ନଥିଲେ, ସେ ଥିଲେ ଭାରତୀୟ ସଂସ୍କୃତି ଓ ଜ୍ଞାନର ଜଣେ ବିରାଟ ସଂରକ୍ଷକ। ମୁଖ୍ୟବକ୍ତା ପଦ୍ମାନାଭ ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯେତେବେଳେ ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବରେ ସନାତନ ବୈଦିକ ଧର୍ମ ଦିନକୁ ଦିନ କ୍ଷୟ ହେବାକୁ ଲାଗିଥିଲା ଏବଂ ସମାଜରେ ଅନ୍ଧବିଶ୍ୱାସ ଓ ବିଭ୍ରାନ୍ତି ବଢ଼ିଥିଲା, ସେତିକିବେଳେ ଆଦି ଶଙ୍କର ଆବିର୍ଭୂତ ହୋଇ ଶାସ୍ତ୍ରାର୍ଥ ଓ ଜ୍ଞାନ ମାଧ୍ୟମରେ ସନାତନ ଧର୍ମର ପୁନରୁଦ୍ଧାର କରିଥିଲେ। ସେ ମାତ୍ର ୩୨ ବର୍ଷର ଜୀବନ କାଳ ମଧ୍ୟରେ ସାରା ଭାରତ ଭ୍ରମଣ କରି ବେଦାନ୍ତର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ।

ସମ୍ମାନିତ ବକ୍ତା ଅନନ୍ତ ଗୋପାଳ ପଣ୍ଡା ଏବଂ ଡ. ଅମ୍ବରୀଶ ଶତପଥି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ଚତୁର୍ଦ୍ଧାମ ଓ ଚାରି ମଠର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ବିଶେଷ କରି ପୁରୀଠାରେ ସେ ସ୍ଥାପନ କରିଥିବା ‘ଗୋବର୍ଦ୍ଧନ ମଠ’ ଓଡ଼ିଶାର ଆଧ୍ୟାତ୍ମିକ ଇତିହାସକୁ ଋଦ୍ଧିମନ୍ତ କରିଛି। ଶ୍ରୀକ୍ଷେତ୍ରକୁ ସେ ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ସହ ଜଗନ୍ନାଥ ସଂସ୍କୃତିର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ. ଆରତୀ କର ଯୋଗଦେଇ ଆଦି ଶଙ୍କରଙ୍କ ସ୍ତୋତ୍ର ଓ ସାହିତ୍ୟିକ କୃତି ଉପରେ ଆଲୋଚନା କରିଥିଲେ।
ସଭା ପ୍ରାରମ୍ଭରେ ଭୁବନେଶ୍ୱର ଶାଖା ସମ୍ପାଦକ ପରମେଶ୍ୱର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଜଗଦଗୁରୁଙ୍କ ଜୟନ୍ତୀ ପାଳନର ପ୍ରାସଙ୍ଗିକତା ଉପରେ ସୂଚନା ଦେଇଥିଲେ। ଶେଷରେ ପୀତାମ୍ବର ରଥ ଉପସ୍ଥିତ ସମସ୍ତ ସଭ୍ୟ ଓ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାସଂଘର ଅନେକ କର୍ମକର୍ତ୍ତା ଓ ବ୍ରାହ୍ମଣ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜଗଦଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
