- ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମରେ ବାରିପଦାରୁ ବିଶ୍ୱକୁ ବାର୍ତ୍ତା
ବାରିପଦା : ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମରେ ବାରିପଦାରେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ବିଶ୍ୱପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ସକାଳ ସାଢେ 6 ଟାରେ ଷ୍ଟେସନ ରୋଡ଼ରୁ ବିଶାଳ ଶୋଭାଯାତ୍ରାକୁ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ କମିଟିର ଅଧ୍ୟକ୍ଷ ସେବାନିବୃତ୍ତ ପୋଲିସ ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ।
ଶୋଭାଯାତ୍ରା କେସି ସର୍କଲ, ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ମହାରାଣୀ ନର୍ସିଂ ସ୍କୁଲ, ପ୍ରିନ୍ସ କଲେଜ, ସାଇସିଦ୍ଧି କଲେଜର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ଧୋଇ ସଫେଇ ପରେ ସମୂହ ମାଲ୍ୟାର୍ପଣ କରାଯାଇଥିଲା।
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଏମଏସସିବି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ପୂର୍ବତନ ଲୋକାୟୁକ୍ତ ଡ଼ ଦେବବ୍ରତ ସ୍ୱାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଡ଼ ବନଜା ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ।
ଦିବସର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ତାତ୍ପର୍ଯ୍ୟ ବର୍ଣନା କରିଥିଲେ। 2017 ରେ ଆମେ ମୟୂରଭଞ୍ଜିଆ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ବିଶ୍ୱବ୍ୟାପୀ ହୋଇଥିବାରୁ ଅତିଥିମାନେ ଆନନ୍ଦ ପ୍ରକାଶ କରି ଏହାକୁ ସୁଦୂର ପ୍ରସାରୀ କରିବାକୁ ଆହ୍ୱାନ ଦେଇ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ କାର୍ଯ୍ୟକ୍ରମ ଆମ ନୈତିକ ଦାୟିତ୍ୱ ବୋଲି କହିଥିଲେ।
ଏହି ଅବସରରେ ଶିଶୁ ନୃତ୍ୟ ଶିଳ୍ପୀ ଆୟୁକ୍ତା ତ୍ରିପାଠୀଙ୍କ ଓଡିଶୀ ନୃତ୍ୟ ଓ ଅଭିରାମ ବେଦ ବେଦାନ୍ତ ବିଦ୍ୟାଳୟର ଦେଶାତ୍ମବୋଧକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବାନ୍ଧି ରଖିଥିଲା। ଡ଼ ପୁଷ୍ପା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ବିଭିନ୍ନ ସଂଗଠନ ଓ ଶତାଧିକ ସଂସ୍କୃତି ସଚେତନ ଯୁବପିଢ଼ି, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିକୁ ସଫେଇ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
