ବାରିପଦା : ଆମ ସଂସ୍କୃତି – ସେବା ଓ ସଂସ୍କୃତି ସୁରକ୍ଷାର ଅନନ୍ୟ ଅନୁଷ୍ଠାନ, କଟକ ତରଫରୁ ଅନୁଷ୍ଠିତ ବୈଶାଖୀ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ଉତ୍କଳ ସଂସ୍କୃତି ରତ୍ନ ସମ୍ମାନ – ୨୦୨୬ ଲାଭ କରିଛନ୍ତି । ଏହି ଉପଲକ୍ଷେ କଟକ ଶତାବ୍ଦୀ ଭବନ ସଭାଗୃହରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନ୍ୟାୟାଧୀଶ ଜଷ୍ଟିସ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ,ମୁଖ୍ୟବକ୍ତା ଭାବେ ଉତ୍ସଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସମ୍ବର୍ଦ୍ଧିତ ଅତିଥି ଭାବେ ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ଉତ୍କଳ ଗ୍ରାମ ସ୍ୱରାଜ୍ୟର ପ୍ରତିଷ୍ଠାତା ସଭାପତି ତଥା ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ପଣ୍ଡାଙ୍କ ଉତ୍ତରୀୟ, ମାନପତ୍ର , ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଉତ୍କଳ ସଂସ୍କୃତି ରତ୍ନ ସମ୍ମାନ – ୨୦୨୬ରେ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସଚ୍ଚିକାନ୍ତ ନାଥ, ମୁଖ୍ୟ ସଂଯୋଜକ ଗୁରୁଦତ୍ତ କର, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀଯୁକ୍ତ ପଣ୍ଡା ଶ୍ରୀ ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଆ ଜାତିର ସଂସ୍କୃତି ଓ ତାର ପରିଚୟ ବୋଲି ଉଲ୍ଲେଖ କରିବା ସହିତ ମାନବ ସେବା ହିଁ ମାଧବ ସେବା ଯାହା ଏ ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଜାରି ରଖିଛି ତାର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାବିକାଶ କେନ୍ଦ୍ରର ଚେୟାରମେନ ତଥା ଶିକ୍ଷାବିତ ରବୀନ୍ଦ୍ର ମହାନ୍ତି ଉଦ୍ବୋଧନ ଦେଇ ଆମ ସଂସ୍କୃତି ଅନୁଷ୍ଠାନ ସମ୍ପର୍କରେ ଏକ ଆକର୍ଷଣୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଯୁଗ୍ମ ସମ୍ପାଦକ ଅଶୋକ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
