ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ପାୱାର ଫାଇନାନ୍ସ କର୍ପୋରେସନ ଲିମିଟେଡ଼ର ପୂର୍ବତନ ସି ଜି ଏମ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ସାନ୍ତାଳୀ ସିନେମା ପ୍ରଯୋଜକ ପୂର୍ଣ୍ଣିମା ଟୁଡୁ, ସାମାଜିକ କର୍ମୀ ଫୁଲମଣୀ ହେମ୍ବ୍ରମ, ବିଶିଷ୍ଟ ବ୍ୟବସାୟୀ ଦିଘୀ ମୁର୍ମୁ ମାର୍ଣ୍ଡି, କାହ୍ନIଇ ଚରଣ ଟୁଡୁ, ଜୁରୀ ସଦସ୍ୟ ମାନସିଂ ମାଝୀ, ସ୍ନେହା ମୁଣ୍ଡାରୀ, କ୍ରିଷ୍ଣା ସୋରେନ ଓ ନିରଞ୍ଜନ କୁଜୁର ଯୋଗଦେଇ ଏହି ମହୋତ୍ସବର ଉଦଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ |
ଫାଉଣ୍ଡେସନର ପ୍ରତିଷ୍ଠାତା ଦୀପକ କୁମାର ବେଶ୍ରା ଏହି ମହୋତ୍ସବ ଉପରେ ଆଲୋକପାତ କରିବା ସହ ଏହାକୁ ସଫଳ କରିବା ପାଇଁ ଆଗେଇଆସିଥିବା ସମସ୍ତ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ I ନିଚୁଆପଦା ଉତ୍ତରସାହି ଛଉ ନୃତ୍ୟ ଦଳ ସର୍ବ ପ୍ରଥମେ ଛଉ ନୃତ୍ୟ ପ୍ରଦର୍ଶନ କରିଥିଲେ I ପ୍ରଥମ ଦିନରେ ସାନ୍ତାଳୀ, ତିୱା, ହିନ୍ଦୀ, ଓଡ଼ିଆ, ଇଂରାଜୀ, ତାମିଲ, କର୍ବୀ, ଆସାମୀ ଓ ବେଙ୍ଗଲୀ ଭାଷାରେ ୯ଟି ପ୍ରାମାଣିକ ଚଳଚିତ୍ର ଓ ୩ଟି ଲଘୁ ସିନେମା ପ୍ରଦର୍ଶିତ ହୋଇଥିଲା I ପ୍ରତ୍ୟେକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଆୟୋଜକଙ୍କ ତରଫରୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା I ଆସନ୍ତା ୭ଟି ଲଘୁ ସିନେମା ଓ ୫ଟି ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବା ସହ ଶେଷରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି l
