କଟକ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ଆନୁକୁଲ୍ୟରେ ସ୍ଥାନୀୟ କାଠଯୋଡି ବିହାର ବସ୍ତିରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରବାସୀ ଶ୍ରମିକ (Migrant Labour) ମାନଙ୍କର ବିଭିନ୍ନ ସମସ୍ୟା ଓ ସେମାନଙ୍କର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସାହି ସଭାପତି ଶ୍ରୀ ଦିଲିପ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାହି ସମ୍ପାଦିକା ବିମଳା ରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ସଭାରେ ସଚିବ ଶ୍ରୀ ଜେନା ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଆଇନଗତ ଜଟିଳତା ଏବଂ ପ୍ରାଧିକରଣ ପକ୍ଷରୁ ମିଳୁଥିବା ମାଗଣା ଆଇନଗତ ସାହାଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନଜୀବୀ ଶ୍ରୀ ପଣ୍ଡା ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଏବଂ ସେମାନଙ୍କର ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ କରାଇଥିଲେ। ଏଥିସହିତ ସ୍ଥାନୀୟ ଜଳସାଥୀ ସାଗରୀକା ବେହେରା ବସ୍ତି ବାସିନ୍ଦାଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ସଚେତନତା ଶିବିରରେ ବସ୍ତିର ପ୍ରାୟ ୯୦ ଜଣ ସଦସ୍ୟ ଓ ସଦସ୍ୟା ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ସମସ୍ୟା ବିଷୟରେ ଜଣାଇଥିଲେ। ପରିଶେଷରେ ଶ୍ରୀ ଚିନ୍ମୟ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ସେମାନଙ୍କ ଅଧିକାରକୁ ନେଇ ନୂତନ ଆଶା ସଞ୍ଚାର କରିଛି।

