IMG 20260227 WA0205

ବାରିପଦାରେ ଲୋକ ଅଧିକାର ଯାତ୍ରା

ରାଜ୍ୟ
ବାରିପଦା :ଜଳ-ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ପ୍ରତିଟି ସାଧାରଣ ମଣିଷର ଜୀବିକା ରକ୍ଷା ଲାଗି ଜାତିର ଗୌରବ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ବାରିପଦାରେ ପହଂଚିବା ପରେ ବାରିପଦା  ଅଭିଯାତ୍ରୀ ଦଳଙ୍କୁ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ସଂଗଠକ ସ୍ୱାଗତ ଜଣାଇ ଏକ ଶୋଭାଯାତ୍ରାରେ ଅବସରପ୍ରାପ୍ତ କର୍ମଚାରୀ ଭବନ ନିକଟକୁ ପାଛୋଟି ନେଇଥିଲେ. ବିଶିଷ୍ଟ ସମାଜସେବୀ ଆର୍ଯ୍ୟଭଟ ମହାନ୍ତିଙ୍କ ସଭାପତିତ୍ୱରେ କର୍ମଚାରୀ ଭବନ ଠାରେ ଆୟୋଜିତ ବୈଠକରେ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ନେତା ଲିଙ୍ଗରାଜ, ଗାନ୍ଧୀବାଦୀ ନେତା ତଥା ଲୋକ ଅଧିକାର ଯାତ୍ରାର ସଂଯୋଜକ ଡାକ୍ତର ବିଶ୍ୱଜିତ, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ, ସାଂସ୍କୃତିକ କର୍ମୀ ରାଜକିଶୋର ସୁନାନୀ, ଯୁବନେତା ଲକ୍ଷ୍ମଣ ନାୟକ, ମହମ୍ମଦ ଇସଲାମ, ଅଧ୍ୟାପକ ସେକ ନାସିର ବକ୍ସ, ଅରୁଣ ଜେନା, ସୁଶାନ୍ତ ମହାନ୍ତି, ରାଜୀବ କୁମାର, କ୍ଷେତ୍ରମୋହନ ମହାନ୍ତ, ସର୍ବେଶ୍ଵର ସାହୁ, ସୁକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଜଳ-ଜଙ୍ଗଲ-ଜମି ଓ ଜୀବିକାର ସୁରକ୍ଷା ତଥା ଲୋକଙ୍କ ବଞ୍ଚିବାର ଅଧିକାର ପାଇଁ ଏକ ବିକଳ୍ପ ବିକାଶ ଧାରା ପାଇଁ ଆହ୍ୱାନ ଦେଇଥିଲେ. କେବଳ ଖଣି ଖନନ ଏବଂ ଶିଳ୍ପ ମାଧ୍ୟମରେ ରାଷ୍ଟ୍ରର ସର୍ବ କାଳୀନ ବିକାଶ ଅସମ୍ଭବ କାରଣ ଯଦି ମାଟିତଳେ ଥିବା ଖଣିଜ ସମ୍ପଦ ବ୍ୟବହାର କରାଯାଏ ତେବେ ଆଗାମୀ 50 ବର୍ଷ ପରେ ଖଣିଜ ସମ୍ପଦ ସରିଗଲେ ଆଗାମୀ ପିଢ଼ି କଣ କରିବେ? ବିକାଶ କିଭଳି ହେବ ବୋଲି କହିଥିଲେ. ଏଣୁ ପ୍ରାକୃତିକ ସମ୍ପଦ ଜଳ, ଜଙ୍ଗଲ ଜମି ର ସଦୁପଯୋଗ କରାଯାଇ ବିକଳ୍ପ ବିକାଶ ଦିଗରେ ସରକାରଙ୍କ ସହିତ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ. ବୈଠକରେ ବାରିପଦାର ପୂର୍ବତନ ବିଧାୟକ କିଶୋର ଦାସ, ସମାଜସେବୀ ଶରତ ଚନ୍ଦ୍ର ନାୟକ, ଯୁବ ସଂଗଠକ ସଂଜୀବ ରାଉତ, ସଂଗଠକ ନନ୍ଦ କୁମାର ମହାପାତ୍ର, ବିବେକାନନ୍ଦ ପଟ୍ଟନାୟକ, ବିଷ୍ଣୁ ପୂର୍ତ୍ତୀ, ଗୌରୀ ନାଏକ, ମିନକେତନ ବେହେରା, ପ୍ରମୁଖ ବହୁ ବୁଦ୍ଧିଜୀବୀ ସଂଗଠକ ଜଳ, ଜଙ୍ଗଲ, ଜମିର ସୁରକ୍ଷା ନେଇ ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଲୋକ ଅଧିକାର ଯାତ୍ରା ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ସେଣ୍ଟର ଫର କ୍ଲାଇମେଟ ଜଷ୍ଟିସ, ବିଭିନ୍ନ ଗାନ୍ଧୀବାଦୀସଂଗଠନ ଏବଂ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଲଢ଼ୁଥ‌ିବା ସଂଗଠନଗୁଡ଼ିକୁ ନେଇ ଆରମ୍ଭ ହୋଇଥବା ଏହି ଯାତ୍ରା ମାର୍ଚ୍ଚ ୨୯ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହିଦ ଦିବସରେ ଶେଷ ହେବ ବୋଲି ସୂଚନା ମିଳିଅଛି .