୩୧

ରାଜ୍ୟର ଗୌରବ ବୃଦ୍ଧିରେ ମୟୂରଭଞ୍ଜର ଭୂମିକା

ରାଜ୍ୟ
  • ସମାବେଶୀ ନାଟ୍ୟ ମହୋତ୍ସବରେ ଓଡ଼ିଶାକୁ ଦ୍ୱିତୀୟ ସ୍ଥାନ; ୨୦ ଜଣିଆ ଦଳ ଉଲ୍ଲେଖନୀୟ ସଫଳତା

ବାରିପଦା: ରାଜ୍ୟର ଗୌରବ ବୃଦ୍ଧିରେ ମୟୂରଭଞ୍ଜ ଜିଲ୍ଲା ପୁଣିଥରେ ନିଜର ପ୍ରତିଭା ଓ ସାଂସ୍କୃତିକ ପରିଚୟର ପରିଚୟ ଦେଇଛି। କୋଲକାତାଠାରେ ୨୫ ନଭେମ୍ବର ୨୦୨୬ରେ ଅନୁଷ୍ଠିତ ଜାତୀୟ ସମାବେଶୀ ନାଟ୍ୟ ମହୋତ୍ସବ (National Inclusive Theatre Festival–NITF)ର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଦ୍ୱିତୀୟ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ସଫଳତାରେ ମୟୂରଭଞ୍ଜ ଜିଲ୍ଲାର ନେତୃତ୍ୱ ଓ ସହଯୋଗ ବିଶେଷ ଉଲ୍ଲେଖନୀୟ। ପ୍ରତିବର୍ଷ ଡିସେମ୍ବର ୩ ତାରିଖରେ ପାଳିତ ହୁଏ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର, ସମ୍ମାନ, ସମାନ ସୁଯୋଗ ଓ ସାମାଜିକ ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି-୨୦୨୦ (NEP 2020) ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ-୨୦୧୬ (RPWD Act 2016)ର ମୂଳ ଭାବନା ଅନୁଯାୟୀ, ଶିକ୍ଷା, କଳା, ସଂସ୍କୃତି, କ୍ରୀଡ଼ା ଓ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମାନ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଉଛି।  ଏହି ଉଦ୍ଦେଶ୍ୟକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀ ପକ୍ଷରୁ ଜାତୀୟ ସମାବେଶୀ ନାଟ୍ୟ ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦଳମାନେ ଜୋନ୍‌ସ୍ତରରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମେତ ଆସାମ, ଝାଡ଼ଖଣ୍ଡ, ସିକ୍କିମ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦଳ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ଦଳ ଗଠନ ଓ ପ୍ରସ୍ତୁତିର ଦାୟିତ୍ୱ ଓସେପା ପକ୍ଷରୁ ସମଗ୍ର ଶିକ୍ଷା, ମୟୂରଭଞ୍ଜକୁ ଦିଆଯାଇଥିଲା।

ଏହି ପ୍ରତିଯୋଗିତାରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ୨୦ ଜଣିଆ ଦଳ ଗଠନ କରାଯାଇଥିଲା। ନିୟମ ଅନୁଯାୟୀ, ୧୨ରୁ ୧୮ ବର୍ଷ ବୟସର ବିଭିନ୍ନ ସାଧାରଣ ବିଦ୍ୟାଳୟରେ ଅଧ୍ୟୟନରତ ୮ ଜଣ ଭିନ୍ନକ୍ଷମ ଓ ୧୨ ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ଦଳରେ ସାମିଲ କରାଯାଇଥିଲା। ଏହି ମିଳିତ ଦଳ ନିଜର ଅଭିନୟ ଓ ଉପସ୍ଥାପନା ମାଧ୍ୟମରେ ସମାବେଶୀ ଶିକ୍ଷାର ପ୍ରକୃତ ମର୍ମକୁ ପ୍ରତିଫଳିତ କରିଥିଲା। ପ୍ରତିଯୋଗିତାରେ ଓଡ଼ିଶା ଦଳ ଶିଶୁ ଶ୍ରମିକ ପ୍ରଥା ଓ ଶିକ୍ଷା ଅଧିକାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗକୁ ନାଟକର ବିଷୟବସ୍ତୁ ଭାବେ ଚୟନ କରିଥିଲା। ଶିଶୁ ଶ୍ରମିକ ପ୍ରଥାର କୁପରିଣାମ, ପ୍ରତ୍ୟେକ ଶିଶୁର ଶିକ୍ଷା ଅଧିକାର ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନରେ ଶିକ୍ଷାର ଭୂମିକାକୁ ଅତି ମର୍ମସ୍ପର୍ଶୀ ଭାବରେ ମଞ୍ଚରେ ଉପସ୍ଥାପନ କରାଯାଇଥିଲା। ଏହି ଉଚ୍ଚକୋଟୀର ପରିବେଷଣ ଓଡ଼ିଶାକୁ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସହାୟକ ହୋଇଥିଲା। ନାଟକର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ଶାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ଚୈତନ୍ୟ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବଟାନି ବିଭାଗର ଅଧ୍ୟାପକ ରାଜେଶ କୁମାର ଦାଶ ତୁଲାଇଥିବାବେଳେ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁରଥ ପଟ୍ଟନାୟକ ସହ-ନିର୍ଦ୍ଦେଶକ ଭାବେ ସହଯୋଗ କରିଥିଲେ।

ଏହି ସଫଳତା ପଛରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂଙ୍କ ମାର୍ଗଦର୍ଶନ ଓ ସହଯୋଗ ଉଲ୍ଲେଖନୀୟ ରହିଥିଲା। ଏହା ସହିତ ଗୋଷ୍ଠୀ ସାଧନ କର୍ମୀ ରେଖାରାଣୀ ଦାସ, ଶିକ୍ଷକ ସତ୍ୟନାରାୟଣ ନାୟକ, ହରେନ୍ଦ୍ର ମହାନ୍ତ ଏବଂ ଅନୁଗୁଳ ଜିଲ୍ଲାର ଅଧ୍ୟାପକ ତ୍ରିଲୋଚନ ପ୍ରଧାନଙ୍କ ସହଯୋଗ ମଧ୍ୟ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଶା ଦଳର ଏହି ସଫଳତା କେବଳ ଏକ ପୁରସ୍କାର ବା ସ୍ଥାନ ହାସଲରେ ସୀମିତ ନୁହେଁ। ଏହା ଭିନ୍ନକ୍ଷମ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରତିଭା, ଆତ୍ମବିଶ୍ୱାସ, ଅକ୍ଳାନ୍ତ ପରିଶ୍ରମ ଓ ସମାନ ସୁଯୋଗର ଏକ ଉଜ୍ଜ୍ୱଳ ଉଦାହରଣ। ଜାତୀୟ ମଞ୍ଚରେ ମୟୂରଭଞ୍ଜର ନେତୃତ୍ୱରେ ଓଡ଼ିଶାର ଏହି ସଫଳତା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *