ବାରିପଦା : ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ନବାକ୍ଷରୀ ଛନ୍ଦରେ ରଚିତ ମହାନ କାବ୍ୟ ଗ୍ରନ୍ଥ ଶ୍ରୀଗୁରୁ ଭାଗବତର ୨୫ତମ ଜନ୍ମୋତ୍ସବ ବାରିପଦା ମୁନିସିପାଲିଟି ଦ୍ୱାରା ନିର୍ମିତ ଶ୍ରୀଗୁରୁ ଭାଗବତ ସ୍ତମ୍ଭ ନିକଟରେ ମହାସମାରୋହରେ କାର୍ତ୍ତିକ ପୁର୍ଣିମା ସନ୍ଧ୍ୟାରେ ପାଳିତ ହୋଇଯାଇଛି l ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ଗୁରୁ ପରମ୍ପରା, ଗୁରୁତତ୍ତ୍ୱ ସହିତ ମଧୁର ଭକ୍ତିଭାବ ଥିବା ଶ୍ରୀଗୁରୁ ଭାଗବତ କାବ୍ୟ ଗ୍ରନ୍ଥ ୨୦୦୧ ମସିହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୁରୁଜୀଙ୍କ କଲମରୁ ସ୍ୱତଃସ୍ପୃତ ଭାବରେ ପ୍ରଥମ ଚାରି ଧାଡି ଝରି ଆସିଥିଲା l ଏହି ଗ୍ରନ୍ଥଟି ଓଡ଼ିଆ ଓ ଇଂରାଜୀ ଭାଷା ବ୍ୟତୀତ ୨୩ଟି ଅନ୍ୟ ଭାରତୀୟ ଭାଷା ଓ ଉପଭାଷାରେ ଅନୁବାଦିତ ହୋଇସାରିଲାଣି l ବାରିପଦାରେ ନିର୍ମିତ ପ୍ରଥମ ଶ୍ରୀଗୁରୁ ଭାଗବତ ସ୍ତମ୍ଭ ନିକଟରେ ଶ୍ରୀଗୁରୁ ଭାଗବତ ଉପରେ ଓ ଗୁରୁଜୀ ଡ଼. ଶତପଥୀଙ୍କୁ ଆମେରିକା ରାଷ୍ଟ୍ରର ବିଭିନ୍ନ ପ୍ରଦେଶରୁ ମିଳିଥିବା ସମ୍ମାନପତ୍ରର ଫଳକକୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ମୟୁରଭଞ୍ଜ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି ଓ ପୌର ପରିଷଦର କାଉନସିଲ ଲୋକାର୍ପିତ କରିଥିଲେ l
ନଗରପାଳ ତାଙ୍କ ଉଦଘାଟନୀ ଭାଷଣରେ ମୟୁରଭଞ୍ଜ ମାଟିର ସନ୍ତାନ ଗୁରୁଜୀ ଡ଼. ଶତପଥୀଙ୍କ ରଚିତ ଶ୍ରୀଗୁରୁ ଭାଗବତ କେବଳ ଓଡିଶାରେ ଆଜି ସୀମିତ ହୋଇ ରହିନାହିଁ, ସମଗ୍ର ବିଶ୍ୱରେ ଏହା ଆଜି ଘରେ ଘରେ ପହଂଚି ଗଲାଣି l ତେଣୁ ଏହି ମହାନ ଗ୍ରନ୍ଥ ଗୁରୁ ହୋଇ ସମସ୍ତଙ୍କୁ ଅନ୍ଧାରରୁ ଆଲୋକ ପଥରେ ନେବାକୁ ସାହାଯ୍ୟ କରିବ ବୋଲି କହିଥିଲେ l ଶିରିଡି ସାଇ ପୀଠ ବାରିପଦା ଓ ଶ୍ରୀ ଗୁରୁ ଭାଗବତ ଟୁଙ୍ଗୀ ଭଂଜପୁରରୁ ଶ୍ରୀଗୁରୁ ଭାଗବତ ଏକ ସୁସଜ୍ଜିତ ପାଲିଙ୍କିରେ ଆସି ସ୍ତମ୍ଭ ନିକଟରେ ପୂଜା ଆରତୀ ଦ୍ୱାରା ସ୍ଥାପିତ କରାଯାଇଥିଲା l ଭାଗବତ ଟୁଙ୍ଗୀ ଭଂଜପୁରର କୁନି କୁନି କଳାକାର ମାନେ ପିତୃ ମାତୃ ସ୍ତବକ ସହ ଭଜନ ପରିବେଷଣ କରି ଥିଲେ l ସାଇ ପୀଠର କୁନି କଳାକାର ଗୁରୁ ଭାଗବତ ସଂଗୀତରେ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଭଂଜପୁର ଟୁଙ୍ଗୀର କୁନି କଳାକାର ସାଇକି ପାଲକି ଓ ସାଇ ତୁମେ ଆସିବ କି ଭଜନରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ଭୁବନେଶ୍ୱରରୁ ଆସିଥିବା ଶିଶୁ ଗାୟକ ହଁସରାଜଙ୍କ ପାରିବେଷିତ ଜଗନ୍ନାଥ ଭଜନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଏହି ଜନ୍ମୋତ୍ସବ ପାଇଁ ମୟୁରଭଞ୍ଜ ଶ୍ରୀଗୁରୁ ଭାଗବତ ଟ୍ରଷ୍ଟ ଓ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା l ଅଷ୍ଟମ ରୁ ଦଶମ ଶ୍ରେଣୀ ପିଲାଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜଦୀପ ଜେନା ପ୍ରଥମ, ଇନ୍ଦ୍ରନୀଲ ଭୌମିକ ଦ୍ୱିତୀୟ, ଦେବାଶିଷ ଗିରି ତୃତୀୟ ଓ ପ୍ରିୟଙ୍କା ମୁର୍ମୁ ଚତୃର୍ଥ ହୋଇଥିଲେ l
ପଞ୍ଚମ ରୁ ସପ୍ତମ ଶ୍ରେଣୀ ର ପିଲାଙ୍କ ମଧ୍ୟରେ ବିଦ୍ୟାଶା ମହାନ୍ତ ପ୍ରଥମ, କୃଷ୍ଣ ପ୍ରିୟା ପାତ୍ର ଦ୍ୱିତୀୟ, ଶୁଭ ସ୍ମୃତି ବେହେରା ତୃତୀୟ ଓ ଆୟୁଷ ବେହେରା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ I କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଢା ବଳଙ୍ଗ ନଦୀ ତଟରେ ସକାଳୁ ଶ୍ରୀଗୁରୁ ଭlଗବତ ତଥ୍ୟ ଉପରେ ଆଧାରିତ ଏକ ନୌକା ସହ ବୋଇତ ବନ୍ଦାଣ ଉତ୍ସବ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥଲା l ସଭାର ଶେଷରେ ହାଡିବନ୍ଧୁ କର ଓ ସାଥୀଙ୍କ ଦ୍ୱାରା ଶ୍ରୀଗୁରୁ ଭାଗବତ ଉପରେ ପାରିବେଷିତ ଦାସକାଠିଆ ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା I ଉପ ନଗରପାଳ ସୀମା ଦାସ ଉପସ୍ଥିତ ସମସ୍ତ ଭାଗବତ ପ୍ରେମୀ ଦର୍ଶକଙ୍କୁ ଧନ୍ୟବାଦ ଦେବାସହ ଏହିପରି କାର୍ଯ୍ୟକ୍ରମ ଦ୍ୱାରା ନୂତନ ପିଢ଼ି ଭାଗବତ ତଥା ଗୁରୁ ପରମ୍ପରା ଉପରେ ନିଶ୍ଚିତ ଆକର୍ଷିତ ହେବେ ବୋଲି ଆଶା ପୋଷଣ କରିଥିଲେ I
