- ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ
ଆଗରପଡ଼ା :ପଂଚାୟତ ଗୁଡ଼ିକର ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଏହାର ସଫଳ ରୁପାୟନକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ପଂଚାୟତ ପୁନର୍ଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ତନ୍ନମଧ୍ୟରୁ ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବଡ଼ହାଟ ତ୍ରିଲୋଚନପୁର(ବିଟିପୁର)ପଂଚାୟତ ଗଠନ କରାଯାଇଥିଲା । ନୂତନ ପଂଚାୟତ ଗଠନ ହେବାକୁ ଇତି ମଧ୍ୟରେ ୯ବର୍ଷ ପୂରିବାକୁ ବସିଥିଲେ ସୁଧା ବିଭାଗୀୟ ଅଧିକାରଙ୍କ ଅଣଦେଖାରୁ ପଂଚାୟତ ଗଠନର ଆଭିମୁଖ୍ୟଠାରୁ ବହୁ ଦୂରରେ ରହିଯାଇଛି ଉକ୍ତ ପଂଚାୟତ । ବିଟିପୁର ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ୫ବର୍ଷ ପରେ ଏହା ସଂପୂର୍ଣ୍ଣ ହୋଇଥିଲା । ସେହିପରି ପଂଚାୟତ ଗଠନ ପରେ ପଂଚାୟତର ଉନ୍ନତି ପାଇଁ ବିଭିନ୍ନ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା ମାନ ପ୍ରଣୟନ ହେଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଅଣଦେଖାରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଉକ୍ତ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଅଣଦେଖା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଟିପୁର ପଂଚାୟତରେ ଥିବା ଆଗରପଡ଼ାର ବହୁ ପୁରାତନ ଡ଼ାକଘର ଆଜି ପର୍ଯ୍ୟନ୍ତ ଭଡ଼ାଘରେ ଚାଲିଛି । ନିଜସ୍ୱ ଗୃହ ପାଇଁ ସ୍ଥାନ ନିରୂପଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ । ସେହିପରି ପ୍ରାଣୀ ଚିକିତ୍ସାଳୟ ଉକ୍ତ ପଂଚାୟତରେ ଥିଲେ ସୁଦ୍ଧା ତାହା ଅବହେଳିତ ଅବସ୍ଥାରେ ଅଛି । ବଜାର ଅଂଚଳରେ ଉକ୍ତ ପଂଚାୟତ ପକ୍ଷରୁ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ୫ବର୍ଷ ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବେଳେ ଗତ ଜୁଲାଇ ମାସରେ ବିଟିପୁର ସରପଂଚ ଓ ପଂଚାୟତବାସୀ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାରୁ ଉକ୍ତ ଆବଶ୍ୟକତାକୁ ପୂରଣ ନିମନ୍ତେ ପତ୍ର ମାଧ୍ୟମରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପଂଚାୟତର ୭ଗୋଟି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା;ପଂଚାୟତ ଊପସ୍ୱାସ୍ଥ୍ୟ କେନ୍ଦ୍ର,ଜଳ ଓ ପରିମଳ ବିଭାଗ କ୍ୱାର୍ଟର,ପଥପ୍ରାନ୍ତ ସୁବିଧା କେନ୍ଦ୍ର(ବିଟିପୁର ସୁଲଭ ଶୌଚାଳୟ ପାଖରେ),ଲକ୍ଷ୍ମୀ ବସ୍ଷ୍ଟପ୍(ଲକ୍ଷ୍ମୀ ବଜାର ନିକଟରେ),ଶ୍ମଶାନଘାଟ,ନକୁଳ ଚୁଆ ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗ୍ରାମ୍ୟ ଊନ୍ନୟମ ବିଭାଗ ୨ଗୋଟି କାର୍ଯ୍ୟ ଆଦି ପ୍ରକଳ୍ପ ନିର୍ମାଣ ଏବଂ ତତ୍ସହିତ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ସରକାରୀ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଅପବ୍ୟବହୃତ ସରକାରୀ ଜାଗାକୁ ଖୋଜି ବାହାର କରିବା ସହିତ ଏହାକୁ ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମଲ୍ଲିକ ଗତ ଅଗଷ୍ଟ ମାସରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । କିନ୍ତୁ ଇତି ମଧ୍ୟରେ ୧୦ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ମଧ୍ୟ ବାଧା ସୃଷ୍ଟି କରୁଥିବାରୁ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଂଚାୟତ ପକ୍ଷରୁ ଗତ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ଆଧାର କରି ବ୍ଲକ ବିଡ଼ିଓ ବିଟିପୁର ପଂଚାୟତକୁ ଜାନୁଆରୀ ୩୦ରେ ଆସି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରି ତହସିଲଦାରଙ୍କୁ ପଂଚାୟତର ସୀମା ଚିହ୍ନଟ କରିବା ସହ ଜବରଦଖଲରେ ଥିବା ଜାଗାକୁ ଜବରଦଖଲ ମୁକ୍ତ କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ତହସିଲଦାର ଜବରଦଖଲରେ ଥିବା ଜାଗାକୁ ଚିହ୍ନଟ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ପ୍ରଥମେ ବିଧାୟକଙ୍କ ଅନୁରୋଧ ତା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ପରେ ବିଡ଼ିଓଙ୍କ ପତ୍ର ମାଧ୍ୟମରେ ଅନୁରୋଧ । ଏତେ ପରେବି ତହସିଲଦାରଙ୍କ ବିଟିପୁର ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ଅଣଦେଖା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ପଂଚାୟତର ଉନ୍ନତିକୁ ଆଖିଆଗରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ପଂଚାୟତର ଉନ୍ନୟନ ମୁଳକ କାର୍ଯ୍ୟରେ ବିଭିତ ପଦକ୍ଷେପ ନେବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
