- ୧୭ ବର୍ଷରୁ କମ ବାଳିକା ବିଭାଗରେ ଗଞ୍ଜାମ ଓ ବାଳକ ବିଭାଗରେ ସୁନ୍ଦରଗଡ଼ ଚମ୍ପିୟାନ
ବାରିପଦା: ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଶିକ୍ଷା ବିଭାଗର ସହଯୋଗରେ ୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ବାଳିକା ବିଭାଗରେ ଗଞ୍ଜାମ ଦଳ ସୁନ୍ଦରଗଡ଼ କୁ ୨୭-୨୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ସେହିପରି ବାଳକ ବିଭାଗରେ ସୁନ୍ଦରଗଡ଼ ଗଞ୍ଜାମ କୁ ୩୨-୨୪ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଉଭୟ ଦଳକୁ ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ରାଜ୍ୟ ଜନଜାତି ସଭାପତି କାନ୍ଦରା ସୋରେନ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା ସପନ କୁମାର ଜେନା, ମୟୁରଭଞ୍ଜ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ନାଏକ ଓ ବାଲେଶ୍ୱର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଚନ୍ଦ୍ରକାନ୍ତ ଘଡେଇ ଏବଂ ଏମ କେ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସନ୍ତୀ ଟୁଡୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ଭାରତୀୟ ରଗବି ଦଳର ଖେଳାଳି ପାର୍ବତୀ ହାଁସଦା ଓ ସନ୍ଧ୍ୟାରାଣୀ ଟୁଡୁ ଯୋଗଦେଇ ଯୁବ ଖେଳାଳି ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ I
ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା ଜ୍ୟୋତି ପ୍ରସାଦ ପରିଡା କ୍ରୀଡାର ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିସହିତ ୧୪ ବର୍ଷରୁ କମ ଉଭୟ ବାଳକ ଓ ବିଭାଗ ପାଇଁ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I
