27

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଚେସ୍ ପ୍ରତିଯୋଗିତା-୨୦୨୬ ଉଦ୍‌ଯାପିତ

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ ଚେସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା)-୨୦୨୬ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ସମେତ ୧୬ଟି ଅନୁବନ୍ଧିତ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।
ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାମ୍ପିୟନ ହୋଇଥିବାବେଳେ ପୁରୁଷ ବର୍ଗରେ ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ମହିଳା ବର୍ଗରେ ସରକାରୀ ମହିଳା ମହାବିଦ୍ୟାଳୟ ରନର୍ସଅପ୍ ହୋଇଥିଲେ ।  ପୁରୁଷ ବର୍ଗରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଶ୍ରୀ ଶାନ୍ତନୁ କୁମାର ସିଂହ ଏବଂ ମହିଳା ବର୍ଗରେ ସରକାରୀ ମହିଳା ମହାବିଦ୍ୟାଳୟର ମହେଶ୍ୱରୀ ସିଂହ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ସହକାରୀ କୁଳସଚିବ ଶ୍ରୀ ସଞ୍ଜୀବ କୁମାର ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବା ସହ ନିଜ ବକ୍ତବ୍ୟରେ ଚେସ୍ ଖେଳ ଛାତ୍ରଛାତ୍ରୀଙ୍କ ଏକାଗ୍ରତା, ଧୈର୍ଯ୍ୟ, ତର୍କଶକ୍ତି ଓ ନିଷ୍ପତ୍ତି ଗ୍ରହଣ କ୍ଷମତାର ବିକାଶ କରିବା ସହ ଜୀବନରେ ଶୃଙ୍ଖଳା ଓ ରଣନୈତିକ ଚିନ୍ତନର ଗୁରୁତ୍ୱ ଶିଖାଇଥାଏ ବୋଲି ମତପ୍ରକାଶ କରିଥିଲେ । ଏମ୍‌ପିସି ମହାବିଦ୍ୟାଳୟର ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଶ୍ରୀ ଏସ୍‌.ଏନ୍‌. ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ପାରସ୍ପରିକ ସହଯୋଗ ଓ କ୍ରୀଡ଼ାମନୋଭାବର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।
ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତତ ରଥ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାଶ, ଶ୍ରୀ ସୁଖଦେବ ସୋରେନ ଓ ଶ୍ରୀମତୀ ଡୁମୁଣି ମାରାଣ୍ଡିଙ୍କ ସମେତ ଆୟୋଜକ ଦଳର ସଦସ୍ୟମାନେ ପ୍ରତିଯୋଗିତାର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜୟୀ ଓ ଉପବିଜୟୀ ଦଳ ସହ ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *