ବାରିପଦା: ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଶିକ୍ଷା ବିଭାଗର ସହଯୋଗରେ ୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଖେଳାଳି ମନୋଭାବ ଜୀବନ ସଂଘର୍ଷରେ ଆଗେଇ ନେବ ବୋଲି ପ୍ରକାଶ କରିଥିଲେ I
ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସପନ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ସୁଭାଶିଷ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଓ ଶଶିଧର ସିଂ, ପିଏମଶ୍ରୀ ଏମ କେ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସନ୍ତୀ ଟୁଡୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I କେନ୍ଦ୍ରୀୟ କ୍ରୀଡା ଅଧିକାରୀ ନିରଞ୍ଜନ ଶତପଥି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ I ଏସ ସି ବିଦ୍ୟାପୀଠର ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ I
୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲାର ୧୪ ଓ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକାରେ ମୋଟ ୧୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ ୩୬୦ ଜଣ ମ୍ୟାନେଜର, କୋଚ ଓ ଖେଳ ପରିଚାଳକ ଯୋଗଦେଇଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ବାରିପଦା ଇଣ୍ଡୋର ଷ୍ଟାଡିୟମରେ ବାଳିକା ବିଭାଗର ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ ବାଳକ ବିଭାଗର ଖେଳ ଅନୁଷ୍ଠିତ ହେବ I
