- ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟରେ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ
ବାରିପଦା: ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ଜିଲ୍ଲା ପାଇଁ ନିଯୁକ୍ତ ରାଜ୍ୟ ସରକାରଙ୍କ ନୋଡାଲ ଅଧିକାରୀ ତଥା ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଭିନୀତ ଭରଦ୍ୱାଜ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ୍ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସେ ବିଭିନ୍ନ ବିଭାଗର ପ୍ରସ୍ତୁତି, ଆବଶ୍ୟକ ମାନବସମ୍ବଳ ଓ ଜରୁରୀ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରିବା ସହ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନେତ୍ରାନନ୍ଦ ମଲ୍ଲିକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ତହସିଲଦାର ଓ ବିଡିଓମାନଙ୍କଠାରୁ ସ୍ଥାନୀୟ ସ୍ତରର ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ନିଆଯାଇଥିଲା ।ସମୀକ୍ଷା ସମୟରେ ତଳିଆ ଅଞ୍ଚଳ ଓ ଅସୁରକ୍ଷିତ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ସଚେତନ କରିବା ଏବଂ ଅମଳ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସମୀକ୍ଷା କରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସତର୍କ ରଖିବା ସହ ସାପକାମୁଡ଼ା, ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜରୁରୀକାଳୀନ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପାନୀୟ ଜଳ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ୱାଟକୋକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ନଳକୂପ କାର୍ଯ୍ୟକ୍ଷମ ରଖିବା ସହ ବ୍ଲିଚିଂ ପାଉଡର, ହାଲୋଜେନ ବଟିକା ଓ ପର୍ଯ୍ୟାପ୍ତ ପାନୀୟ ଜଳ ମହଜୁଦ ରଖିବାକୁ ବିଭାଗକୁ କୁହାଯାଇଥିଲା ।
ଅଗ୍ନିଶମ ବିଭାଗ, ବିଡିଓ ଓ ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମିଳିତ ଭାବେ ବିପଦସଙ୍କୁଳ ଗଛ ଚିହ୍ନଟ କରି ଆବଶ୍ୟକ ଡାଳ କାଟିବା ଏବଂ ବାତ୍ୟା ପରେ ରାସ୍ତାଘାଟରୁ ଗଛ ଓ ଅନ୍ୟାନ୍ୟ ବାଧା ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗକୁ ଗୃହପାଳିତ ପଶୁଙ୍କ ସ୍ଥାନାନ୍ତର ସହ ସେମାନଙ୍କ ପାଇଁ ଆବଶ୍ୟକ ଗୋଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯୋଗାଣ ବିଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ବିଦ୍ୟୁତ ବିଭାଗକୁ ବିଦ୍ୟୁତ ସରବରାହ ପୁନଃସ୍ଥାପନ ପାଇଁ ଆବଶ୍ୟକ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ଏବଂ ତହସିଲଦାର ଓ ବିଡିଓମାନେ ନିଜ ନିଜ ଅଞ୍ଚଳର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ ମାଧ୍ୟମରେ ଅନ୍ୟ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସହ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
