ବାରିପଦା: ଆଉ କିଛି ଦିନର ଅପେକ୍ଷା। ରଙ୍ଗାରଙ୍ଗ ଆଲୋକମାଳା, ନୃତ୍ୟ, ସଙ୍ଗୀତ ଓ ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରାର ଝଲକ ନେଇ ଆରମ୍ଭ ହେବ ମୟୂରଭଞ୍ଜ ମହୋତ୍ସବ। ଆସନ୍ତା ଡିସେମ୍ବର ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ। ଚଳିତ ବର୍ଷ ମଞ୍ଚ ରେ ଶୋଭା ପାଇବ ରାଜତନ୍ତ୍ର ଅମଳର ରେଳ ଲାଇନ ସହିତ ରେଳ ଗାଡି। ଏଥିପାଇଁ ଆଜି ପବିତ୍ର ଅଁଳା ନବମୀ ଅବସରରେ ଛଉ ପଡ଼ିଆଠାରେ ବିଧିବଦ୍ଧ ଭାବେ ଭୂମି ପୂଜନ ଓ ମଞ୍ଚ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।
ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ସହ ଦେବକୁଣ୍ଡର ମା’ ଅମ୍ବିକା ଏବଂ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରୁ ଆଜ୍ଞାମାଳ ଅଣାଯିବା ପରେ ମଞ୍ଚ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ ପାଇଁ ଭୂମି ପୂଜନ କରାଯାଇଥିଲା। ଚଳିତ ବର୍ଷ ମହୋତ୍ସବର ପ୍ରଥମ ଦିନ ଅର୍ଥାତ୍ ଡିସେମ୍ବର ୬ ତାରିଖରେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବ। ଏହାପରେ ଡିସେମ୍ବର ୭ ତାରିଖରୁ ପ୍ରତ୍ୟେକ ଦିନ ଜିଲ୍ଲା କଳାକାର ଙ୍କ ସହିତ ବହୁ ନାମୀଦାମୀ ଓଲିଉଡ୍ ଓ ବଲିଉଡ୍ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ସେହିପରି ଚଳିତ ବର୍ଷ ମହୋତ୍ସବରେ ୨୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍ ଖୋଲାଯିବ। ଏଠାରେ ବିଭିନ୍ନ ଘରକରଣା ସାମଗ୍ରୀ ସହ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟ ଓ ସ୍ୱତନ୍ତ୍ର ସ୍ୱାଦର ମଜା ନେଇପାରିବେ ଦର୍ଶକ। ଏହାଦ୍ୱାରା ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାନୀୟ ଉତ୍ପାଦକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଆଶା ରହିଛି। ଆଜିର ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହୋତ୍ସବ କମିଟିର ଅଧ୍ୟକ୍ଷ ଅସିତ୍ ବରଣ ପତି, ସଭାପତି କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ୱିବେଦୀ, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଉପସଭାପତି ସୁଜିତ୍ ମହାନ୍ତି, ପ୍ରସନ୍ନ ମହାପାତ୍ର,କାବୁ ତ୍ରିପାଠୀ,ସାଂସ୍କୃତିକ ସମ୍ପାଦକ ତାପସ ପାଢ଼ୀଙ୍କ ସମେତ ଜିତେନ୍ଦ୍ର ହେମ୍ବ୍ରମ, ସତ୍ୟମ୍ ଶିବମ୍ ସୁନ୍ଦରମ୍ ପାଣି, ନିମାଇଁ ତ୍ରିପାଠୀ, ପିଣ୍ଟୁ ମାଇତି, ରାକେଶ ବେହେରା,ରବିନ୍ ମହାନ୍ତି,ଭଗବାନ ମହାପାତ୍ର,ଅଭିଷେକ ବେହେରା, ଦେବବ୍ରତ ସାମଲ,ପବିତ୍ର ମୋହନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ମୋଟାମୋଟି ଭାବେ ମୟୂରଭଞ୍ଜର କଳା, ସଂସ୍କୃତି ଓ ପରମ୍ପରାକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଯୋଗାଇବାକୁ ଚଳିତ ବର୍ଷର ମୟୂରଭଞ୍ଜ ମହୋତ୍ସବ ପ୍ରସ୍ତୁତ ହେଉଛି ବୋଲି ମୁଖପାତ୍ର ସତ୍ୟଜିତ ସୋମ ପ୍ରକାଶ କରିଛନ୍ତି l
