୨୩

’ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା’ ଶୀର୍ଷକ ସପ୍ତାହବ୍ୟାପୀ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଏବଂ ପରୀକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ୧୭ ରୁ ୨୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ “ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା” ଶୀର୍ଷକ ଏକ ସପ୍ତାହବ୍ୟାପୀ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (FDP) ଉଦ୍‌ଘାଟିତ ହୋଇଯାଇଛି । ବିଭିନ୍ନ ଶିକ୍ଷାଗତ ବିଷୟରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ସଚେତନତା, ଡିଜିଟାଲ୍ ଦକ୍ଷତାର ବିକାଶ ଏବଂ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ଗବେଷଣା କ୍ଷେତ୍ରରେ ଏହାର ପ୍ରଭାବଶାଳୀ ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ପରିସଂଖ୍ୟାନ ସଂସ୍ଥାନର ପ୍ରଫେସର ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, ଗବେଷଣା ଓ ବୃତ୍ତିଗତ କାର୍ଯ୍ୟକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବର୍ଦ୍ଧିତ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଆଧୁନିକ ବୈଷୟିକ ପରିବର୍ତ୍ତନ ସହ ତାଳ ଦେଇ ଚାଲିବା ପାଇଁ ଅଧ୍ୟାପକମାନେ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ଦକ୍ଷତା ହାସଲ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଆଭାଷୀ ମାଧ୍ୟମରେ ଯୋଗଦେଇ ନିଜ ବକ୍ତବ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟାପକମାନଙ୍କୁ ଆଧୁନିକ ବୈଷୟିକ ଜ୍ଞାନ ଓ ଦକ୍ଷତାରେ ସମୃଦ୍ଧ କରିବା ସହ ଶିକ୍ଷାଦାନର ଗୁଣବତ୍ତା, ଗବେଷଣାର ଉତ୍କର୍ଷତା, ନବସୃଜନ ଏବଂ ଅନୁଷ୍ଠାନିକ ବିକାଶରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ପାଇଁ ସେ ଆହ୍ୱାନ ଜଣାଇଥିଲେ । ଜାତୀୟ ଶିକ୍ଷାନୀତି  ୨୦୨୦ ଅନୁରୂପ ବୈଷୟିକ ଜ୍ଞାନଭିତ୍ତିକ ଓ ଭବିଷ୍ୟତମୁଖୀ ଉଚ୍ଚଶିକ୍ଷାର ପ୍ରସାର ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ପୃଷ୍ଠପୋଷକ ପ୍ରଫେସର ରାଜେଶ କୁମାର ସିଂହ ବିଜ୍ଞାନ, କଳା ଓ ବାଣିଜ୍ୟ ଆଦି ସମସ୍ତ ଶୈକ୍ଷିକ ବିଭାଗର ଅଧ୍ୟାପକମାନଙ୍କ ନିକଟରେ କୃତ୍ରିମ ବୁଦ୍ଧିମତ୍ତାକୁ ସହଜ ଓ ସୁଗମ କରିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । ଶିକ୍ଷାଦାନ, ଗବେଷଣା ଏବଂ ପ୍ରଶାସନିକ କାର୍ଯ୍ୟରେ ଏଆଇ ଉପକରଣଗୁଡ଼ିକର ସମନ୍ୱିତ ପ୍ରୟୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମର ଆବାହକ ତଥା କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ । ସମସ୍ତ ଶୈକ୍ଷିକ ବିଭାଗର ଅଧ୍ୟାପକମାନଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତାକୁ ସହଜ, ଉପଯୋଗୀ ଓ ପ୍ରାସଙ୍ଗିକ କରିବା ସହ ଆଧୁନିକ ଏଆଇ ଉପକରଣ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାରିକ ଜ୍ଞାନ ପ୍ରଦାନ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ଏହାଦ୍ୱାରା ଅଧ୍ୟାପକମାନେ ଶିକ୍ଷାଦାନ, ଗବେଷଣା, ନବସୃଜନ ଓ ଶୈକ୍ଷିକ କାର୍ଯ୍ୟକଳାପରେ ଏଆଇର ସଫଳ ପ୍ରୟୋଗ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ଧନ୍ୟବାଦ ଅର୍ପଣ କରିବା ସହ ଉପସ୍ଥିତ ଅତିଥି, ବିଶେଷଜ୍ଞ, ଅଂଶଗ୍ରହଣକାରୀ ଏବଂ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।
ଏହି ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତ୍ତାର ମୌଳିକ ଧାରଣା, ଜେନେରେଟିଭ୍ ଏଆଇ, ଆଧୁନିକ ଏଆଇ ଉପକରଣ, ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ, ବ୍ୟବହାରିକ ପ୍ରଶିକ୍ଷଣ ଏବଂ ଏଆଇର ନୈତିକ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିରେ ବିଶ୍ୱବିଦ୍ୟାଳୟର ଅଧିନସ୍ଥ ମହାବିଦ୍ୟାଳୟ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୯୫ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଅଂଶଗ୍ରହଣ କରୁଛନ୍ତି ।