ବାରିପଦା, ୧୫/୧୧/୨୦୨୬: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପୂଜା ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମେଳା ଅଧ୍ୟକ୍ଷ ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପନାରାୟଣ ପାଲ ଏବଂ ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ମେଳାର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଚଳିତ ବର୍ଷ ମା’ ଜଗଦ୍ଧାତ୍ରୀଙ୍କ ୭୪ତମ ପୂଜା ଆସନ୍ତା ୧୮ ତାରିଖ ଅଁଳା ନବମୀ ଦିନ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ୩୨ତମ ମେଳା ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚିପଟ ନଦୀରୁ ମା’ଙ୍କ ଘଟ ଉତ୍ତୋଳନ ପରେ ଚିପଟ ଅସ୍ତିଆଠାରୁ ଭଞ୍ଜପୁର ମେଳା ପଡ଼ିଆ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାରେ ପୁରୀର ଘୋଷ ଘଣ୍ଟୁଆ, ଢେଙ୍କାନାଳର ସିଂହବାଜା, ଛତିଶଗଡ଼ର ଝାଙ୍କି ଗ୍ରୁପ୍, ମୟୂରଭଞ୍ଜର ଛଉ ବାଜା, ସଂକୀର୍ତ୍ତନ, ମେଦିନୀପୁରର ଢାକ ବାଜା ଏବଂ ବାରିପଦାର ସଂସ୍କୃତ ବେଦପାଠ ବ୍ରାହ୍ମଣ ସମାଜ ଅଂଶଗ୍ରହଣ କରିବେ। ଏଥିସହିତ ହଙ୍ଗେରୀ ପାର୍ଲିଆମେଣ୍ଟ ସଦୃଶ ତୋରଣ ଚଳିତ ବର୍ଷ ମେଳାର ବିଶେଷ ଆକର୍ଷଣ ହେବ ବୋଲି କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଜଣାଇଛନ୍ତି।
ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଦ୍ୱାରା ଆଦିବାସୀ ନୃତ୍ୟ, ଝୁମର, ଭଜନ, ନୃତ୍ୟ ତଥା ଇଣ୍ଡିଆନ୍ ଆଇଡଲ୍ର କଣ୍ଠଶିଳ୍ପୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କୁଇଜ୍, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ମେଳାରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ୪୦ଟି ସରକାରୀ ଓ ୨୯୦ଟି ବେସରକାରୀ ଷ୍ଟଲ୍ ପ୍ରଦର୍ଶିତ ହେବ ବୋଲି ଷ୍ଟଲ୍ ସମ୍ପାଦକ ସତ୍ୟବ୍ରତ ଧଳ ଜଣାଇଛନ୍ତି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କମିଟି ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ। ମେଳାରେ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି। ମେଳାର ସଫଳତା ପାଇଁ ରେଳ ବିଭାଗ, ବିଦ୍ୟୁତ୍ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବାରିପଦା ପୌରପାଳିକା ଓ ଅଗ୍ନିଶମ ବିଭାଗର ସହଯୋଗ କାମନା କରାଯିବ ବୋଲି ମେଳା ଅଧ୍ୟକ୍ଷ ସାନନ୍ଦ ମାରାଣ୍ଡି ପ୍ରକାଶ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ପୂଜା ଓ ମେଳାକୁ ଉପଭୋଗ କରିବା ପାଇଁ ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାରାଣ୍ଡି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
