୨

ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ସମ୍ବର୍ଦ୍ଧିତ

ରାଜ୍ୟ
ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରେ କରଞ୍ଜିଆ ଇଏମ୍‌ଆର୍‌ଏସ୍‌
ବାରିପଦା: କରଞ୍ଜିଆସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍‌ଆର୍‌ଏସ୍‌) ଜାତୀୟସ୍ତରରେ ଶ୍ରେଷ୍ଠ ପାଞ୍ଚଟି ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଏହି ସଫଳତାର ସ୍ୱୀକୃତି ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ହେମକାନ୍ତ ସୟ୍ ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଜନଜାତି ଗୌରବ ପକ୍ଷ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
୨୦୨୫-୨୬ ଶିକ୍ଷାବର୍ଷର କାର୍ଯ୍ୟଦକ୍ଷତା ଆଧାରରେ ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ଶିକ୍ଷା ସମିତି (ନେଷ୍ଟସ୍‌) ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଦକ୍ଷତା ସୂଚକାଙ୍କ ଅନୁଯାୟୀ କରଞ୍ଜିଆ ଇଏମ୍‌ଆର୍‌ଏସ୍‌କୁ ଦେଶର ପାଞ୍ଚଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ମଧ୍ୟରେ ଚୟନ କରାଯାଇଛି ।
 ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନେଷ୍ଟସ୍‌ ଦ୍ୱାରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଆବାସିକ ଶିକ୍ଷା ପ୍ରଦାନ କରାଯାଉଛି । ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଓ ପରିଚାଳନାଗତ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ପ୍ରଣୀତ କାର୍ଯ୍ୟଦକ୍ଷତା ସୂଚକାଙ୍କ ଆଧାରରେ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯାଉଛି । କରଞ୍ଜିଆ ବିଦ୍ୟାଳୟର ଏହି ସ୍ୱୀକୃତି ଜିଲ୍ଲାରେ ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଆବାସିକ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରତିଫଳିତ କରୁଛି । ଏହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ସମଗ୍ର ଜିଲ୍ଲାର ଶିକ୍ଷା ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।