୯

ଜିଲ୍ଲାସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ: ୧୦୨୩ ଜଣଙ୍କୁ ଭତ୍ତା ବାଣ୍ଟିଲେ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର

ରାଜ୍ୟ
ବାରିପଦା: ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ସରଳ ଓ ଲୋକାଭିମୁଖୀ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ସରକାରୀ ସହାୟତା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ନୂତନ ବ୍ୟବସ୍ଥା ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ ପ୍ରଚଳନ କରିଛନ୍ତି । ଏଣିକି ଭତ୍ତା ପାଇଁ ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତି ଆବେଦନର ପରବର୍ତ୍ତୀ ମାସରୁ ଭତ୍ତା ପାଇବେ । ସେହିପରି, ଭତ୍ତାଭୋଗୀଙ୍କ ବୟସ ୮୦ ବର୍ଷ ପୂରଣ ହେଲେ ବିନା ପୁନଃ ଆବେଦନରେ ସ୍ୱତଃ ବର୍ଦ୍ଧିତ ଭତ୍ତା ପାଇ ପାରିବେ । ମୟୂରଭଞ୍ଜ ଜିଲ୍ଲାରେ ଏହି ବ୍ୟବସ୍ଥା ଅଧୀନରେ ମୋଟ ୪୧,୨୨୮ ଜଣ ନୂତନ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନଠାରେ ମଧୁବାବୁ ପେନ୍‌ସନ୍ ଯୋଜନା ଅଧୀନରେ ସାଚୁରେସନ୍ ମୋଡ୍‌ରେ ନୂତନ ହିତାଧିକାରୀଙ୍କ ଭତ୍ତା ବଣ୍ଟନ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ସାମାଜିକ ସୁରକ୍ଷା ଭତ୍ତା ଯୋଗ୍ୟ ହିତାଧିକାରୀଙ୍କ ଆର୍ଥିକ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସହ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ସମୟୋଚିତ କରିବା ଉପରେ ବର୍ତ୍ତମାନ ସରକାର ଗୁରୁତ୍ୱ ଦେଉଛନ୍ତି ।
କାର୍ଯ୍ୟକ୍ରମରେ ମୋଟ ୧୦୨୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଡଃ ମହାପାତ୍ର ନିଜ ହସ୍ତରେ ୨୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୧୦୦୦ ଜଣଙ୍କୁ ନିଜ ନିଜ ଅଞ୍ଚଳରେ ସମ୍ପୃକ୍ତ ଅଧିକାରୀମାନେ ଭତ୍ତା ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିଥିମାନେ ଜିଲ୍ଲାର ଚାରିଟି ଉପଖଣ୍ଡରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଚାରିଟି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଯୋଜନାର ସୁବିଧା, ଯୋଗ୍ୟତା ମାନଦଣ୍ଡ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବେ ।
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ବୁଢାନ୍ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପୀନାଥ ସୟ ପ୍ରମୁଖ ଉପସ୍ଥିତ ଥିଲେ ।