35 1024x576

ବୈତରଣୀରେ ବୁଡ଼ି ଦମ୍ପତିଙ୍କ ମୃତ୍ୟୁ

ରାଜ୍ୟ

ଯାଜପୁର ଟାଉନ: ଦମ୍ପତିଙ୍କ ସଲିଳ ସମାଧି । ବୈତରଣୀ ନଦୀରେ ବୁଡ଼ି ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ । ଯାଜପୁର ବରାହନାଥ ମନ୍ଦିର ନିକଟ ବୈତରଣୀ ନଦୀରେ ଅଘଟଣ ଘଟିଛି । ମୃତକ ହେଲେ ଆନ୍ଧ୍ରପ୍ରଦେଶର ପାଲାମନେର ଅଞ୍ଚଳର ଏମ.ଶ୍ରୀନିବାସ ସୁଲୁ ଓ ଏମ. ଦେବୀ । ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇଥିଲେ । ଅଗ୍ନିଶମବାହିନୀ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଦମ୍ପତି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ହଠାତ୍ ଉଭୟେ ନଦୀରେ ବୁଡ଼ିଯାଇଥିଲେ । ଏହା ଦେଖି ତୁରନ୍ତ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ମାତ୍ର ସେଠାରେ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ଦୁର୍ଘଟଣାରେ ଦମ୍ପତିଙ୍କ ଏଭଳି ଅକାଳ ବିୟୋଗ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି । ବୈତରଣୀ ନଦୀରେ ଗାଧୋଇବା ସମୟରେ ଘଟିଥିବା ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତେବେ ନଦୀରେ ଗାଧୋଇବା ସମୟରେ ସତର୍କ ରହିବା ସହ ଗଭୀର ଜଳକୁ ନଯିବାକୁ ସାଧାରଣରେ ପରାମର୍ଶ ଦିଆଯାଉଛି ।