ବାରିପଦା: ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ \”ପ୍ରତିଶ୍ରୁତି\’ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ୩ନଂ ୱାର୍ଡ ସ୍ଥିତ ସତ୍ସଙ୍ଗ ଭବନ ପରିସରରେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ପବିତ୍ର କାର୍ତ୍ତିକ ମାସର ରମା ଏକାଦଶୀ ତିଥିରେ ପ୍ରତିଷ୍ଠାନର ସଭାପତି ଡାଃ ପାର୍ଥ ସାରଥୀ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରବଚନ ସମାରୋହରେ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଅଧ୍ୟାତ୍ମତତ୍ତ୍ୱବିତ୍ ବୀରଭ୍ରଦ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଂପୂର୍ଣ୍ଣ ଆତ୍ମସମର୍ପଣର ଭାବ ରହିଲେ ଜୀବ ଭଗବାନଙ୍କର ନିକଟତର ହୋଇପାରିବ ବୋଲି ମତ ଦେଇଥିଲେ ।
ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଦନ୍ତଚିକିତ୍ସକ ଡା. ଅଭିଜିତ୍ ଜେନା ଯୋଗ ଦେଇ ଈଶ୍ୱରଙ୍କ ଆଶୀର୍ବାଦ ବିନା ମଣିଷ ଉଚ୍ଚତର ସୋପାନକୁ ଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟ ପ୍ରବାଚକ ସ୍ୱାମୀ ରୁଦ୍ରବେଶାନନ୍ଦ ଗିରି ଦ୍ୱୈତ ଅଦ୍ୱୈତ ବାଦ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରବଚନ ପ୍ରଦାନ କରି ଶ୍ରୋତା ମାନଙ୍କୁ ଅଭିଭୂତ କରିଥିଲେ । ପ୍ରାରମ୍ଭରେ ଜଗନ୍ନାଥ ସଂସ୍କୃତିର ଗବେଷକ ଭାଗବତ ପଣ୍ଡା ରମା ଏକାଦଶୀର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଭକ୍ତି ସାହିତ୍ୟ ହିଁ ମଣିଷ ଜୀବନର ମାର୍ଗଦର୍ଶକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ଲକ୍ଷ୍ମୀକାନ୍ତ ପତି, କାଳିପଦ ଦେ ପ୍ରମୁଖ ସ୍ୱକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ପ୍ରତି ଏକାଦଶୀ ତିଥିରେ ସତ୍ସଙ୍ଗ ଭବନ ପରିସରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଡା. ଜେନା ଘୋଷଣା କରିବା ସହିତ ଶ୍ରୀମଦ୍ ଭଗବଦ୍ ଗୀତାର ଉପଦେଶ, ନିର୍ଦ୍ଦେଶ ଓ ସନ୍ଦେଶ କ\’ଣ ତାହା ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ।
ଏହି ସମାରୋହକୁ ସଭ୍ୟା ଗୀତାରାଣୀ ସାହୁ, ଛବିରାଣୀ ସାହୁ , ସୁଧାମୟୀ ଦାସ, ପ୍ରଦୀପ ଚନ୍ଦ୍ର ନାୟକ, ବିଭୁ ମହାଳିକ, ବିଶ୍ୱଜିତ ମହାନ୍ତ, ଅଧ୍ୟାପକ ଗୋପାଳ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ଧଳ କମଳିନୀ ବେହେରା, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
