- ମାଣ୍ଡିଆ ଚାଷର ପ୍ରସାର ଓ ପୁଷ୍ଟିକର ଖାଦ୍ୟର ପ୍ରଚାର ଉପରେ ଗୁରୁତ୍ୱ
ବାରିପଦା: ମିଲେଟ୍ ଚାଷର ସମ୍ପ୍ରସାରଣ ଓ ଏହାର ଉପଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଚାଷୀମାନେ ପଡ଼ିଆ ଉଚ୍ଚ ଜମିରେ ମାଣ୍ଡିଆ ଚାଷ କରିବା ସହ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ନବଚରଣ ମାଝୀ ଯୋଗଦେଇଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଅତିଥିମାନେ ମିଲେଟ୍ ଚାଷର ଆର୍ଥିକ ଓ ପୁଷ୍ଟିଗତ ଉପକାରିତା ଉପରେ ଆଲୋକପାତ କରିବା ସହ ଏହା କମ୍ ଜଳରେ ଚାଷ ହୋଇପାରୁଥିବାରୁ ଅବ୍ୟବହୃତ ଉଚ୍ଚ ଜମିରେ ଏହାର ଚାଷ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ । ମୟୂରଭଞ୍ଜର ମାଣ୍ଡିଆ ଚାଷୀମାନେ ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଜିଲ୍ଲାର ଗୌରବ ବଢ଼ାଇଥିବାରୁ ସେମାନଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ । ସେହିପରି ମିଲେଟ୍ ଚାଷ ପାଇଁ ସରକାରଙ୍କ ପକ୍ଷରୁ ସର୍ବାଧିକ ୫ ବର୍ଷ ମଧ୍ୟରେ ପ୍ରତି ହେକ୍ଟର ପିଛା ମୋଟ ୨୬,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ଥିବା ଚାଷୀମାନଙ୍କୁ ଅବଗତ କରାଯାଇଥିଲା ।
ଜିଲ୍ଲାର ବିଭିନ୍ନ ବ୍ଲକ୍ର ଚାଷୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ମିଲେଟ୍ରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନର ପ୍ରଦର୍ଶନ ଓ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ର ଅଗ୍ରଣୀ ଚାଷୀ ,ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ପୁରସ୍କୃତ ହୋଇଛନ୍ତି। ଜିଲ୍ଲାର ସମସ୍ତ କୃଷି ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
