ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର୍ ମନୀଷା ମିଶ୍ର । ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ଜଣାପଡିଛି । ତେବେ ମନୀଷା ମିଶ୍ର ଏବେ ନିଜ ଚାକିରିର ପ୍ରୋବେଶନ ପିରିୟଡ୍ ସମୟରେ ଥିଲେ । ଚାକିରି ଆରମ୍ଭରୁ ଏପରି ଲାଞ୍ଚନେବା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ଜମିର କବଲା ପଞ୍ଜୀକରଣ ପାଇଁ ସବ୍ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ଉକ୍ତ ଜମିର କିସମ ‘ବଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡ ହୋଇଥିଲେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଏହାକୁ ସ୍ଥିତିବାନ ଜମି ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ। ଏ ସମ୍ପର୍କରେ ଜମି କ୍ରେତା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍ରେଜିଷ୍ଟ୍ରାର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ ।
ହେଲେ କାର୍ଯ୍ୟଟିକୁ କରାଇଦେବା ପାଇଁ ସବ୍-ରେଜିଷ୍ଟ୍ରାର୍ ମନୀଷା ମିଶ୍ର ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନ ଦେଲେ କାମ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ଦାବି ମୁତାବକ ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ହୋଇ ଅଭିଯୋଗକାରୀ ଜଣକ ଏ ନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।
