- ୪୦ଟି ପ୍ରଶ୍ନ ଆଧାରରେ ସଂଗ୍ରହ ହେବ ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ
ବାରିପଦା: ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନାକୁ ସୁଚାରୁ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ, ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଛି । ଏଥିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, କରଞ୍ଜିଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ ଏବଂ ମୟୂରଭଞ୍ଜର ଉପଜିଲ୍ଲା ଜନଗଣନା ଅଧିକାରୀ ମାନସୀ ତରାଇ ଉପସ୍ଥିତ ଥିଲେ ।
ଜନଗଣନା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାସ ଏବଂ ଜିଲ୍ଲା ଜନଗଣନା ଦାୟିତ୍ୱପ୍ରାପ୍ତ ଅଧିକାରୀ ତନ୍ମୟ ଗୁପ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଚାର୍ଜ କ୍ଲର୍କ ଏବଂ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁଆରୀ ୧୦ରୁ ୨୪ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ସ୍ୱୟଂ ଗଣନା ଏବଂ ଜାନୁଆରୀ ୨୫ରୁ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ଜନସଂଖ୍ୟା ଗଣନା କରାଯିବ । ଏହି ପର୍ଯ୍ୟାୟରେ ଜନଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ଯାଇ ନିର୍ଦ୍ଧାରିତ ପ୍ରଶ୍ନାବଳୀ ଅନୁଯାୟୀ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।
ଜନସଂଖ୍ୟା ଗଣନା ସମୟରେ ମୋଟ ଜନସଂଖ୍ୟା, ପରିବାରର ଗଠନ, ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି ସମେତ ବିଭିନ୍ନ ଜନସାଂଖ୍ୟିକ ଓ ସାମାଜିକ ତଥ୍ୟ ସମ୍ପର୍କରେ ମୋଟ ୪୦ଟି ପ୍ରଶ୍ନ ମାଧ୍ୟମରେ ସୂଚନା ସଂଗ୍ରହ କରାଯିବ । ଏହି ତଥ୍ୟ ଦେଶର ଜନସଂଖ୍ୟାଗତ ସ୍ଥିତିର ସଠିକ୍ ଆକଳନ ସହ ଯୋଜନା ପ୍ରସ୍ତୁତି, ସମ୍ବଳ ବଣ୍ଟନ ଏବଂ ଭବିଷ୍ୟତର ବିକାଶମୂଳକ ଆବଶ୍ୟକତା ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଆଧାର ହେବ ବୋଲି କୁହାଯାଉଛି ।
