- ଅକ୍ଟୋବର ୩୧ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ
ବାରିପଦା -25/10- ଆସନ୍ତା ନଭେମ୍ବର 12 ରୁ 15 ତାରିଖ ଯାଏଁ ଚାରିଦିନ ଧରି ବାରିପଦା ଶିଶୁ ଉଦ୍ୟାନ ପରିସରରେ ଅନୁଷ୍ଠିତ ହେବ ପିଲାଙ୍କ ବଡ଼ ଉତ୍ସବ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ l ଏ ନେଇ ସ୍ଥାନୀୟ ମ୍ୟୁନିସ ପାଲଟି ଗେଷ୍ଟ ହାଉସ ଠାରେ ଦ୍ୱାଦଶ ଶିଶୁ ମହୋତ୍ସବ ମୟୂରୀର ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
କାର୍ଯ୍ୟକାରୀ ସଭାପତି ତଥା ଏମ୍ ପି ସି ର ପ୍ରାକ୍ତନ ଅଧ୍ୟକ୍ଷା ଡଃ ବନଜା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଚଳିତ ବର୍ଷ ଚାରିଦିନ ଧରି ହେବାକୁ ଥିବା ଶିଶୁ ମହୋତ୍ସବର ରୂପ ରେଖ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେବା ସହ ମହୋତ୍ସବକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ l
ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ପିଲା ମାନଙ୍କ ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ମାଆ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ l ଅଂଶଗ୍ରହଣକାରୀଙ୍କ ପାଇଁ ଅକ୍ଟୋବର 31 ରୁ ନଭେମ୍ବର 8 ତାରିଖ ମଧ୍ୟରେ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ଅପରାହ୍ନ 4 ଟା ରୁ ସାଢେ 5 ଟା ଯାଏଁ ପଞ୍ଜିକରଣ କରିବାକୁ ସୁଯୋଗ ମିଳିବ l ପ୍ରତିଯୋଗିତା ବ୍ୟତୀତ ପଥ ମହୋତ୍ସବ, ବାଲୁକା କଳା, କୁନି ଚିତ୍ର ଶିଳ୍ପୀଙ୍କ ଆର୍ଟ ଗ୍ୟାଲେରୀ, ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ, ଶିଶୁ ନାଟକ ବିଭିନ୍ନ ସଚେତନତା କର୍ମଶାଳା ସାଙ୍ଗକୁ ଅନେକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ ବୋଲି ସ୍ଥିର ହୋଇଥିବା ବେଳେ ପ୍ରତି ପ୍ରତିଯୋଗିତାରେ ସୀମିତ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ପଞ୍ଜିକରଣ ପାଇଁ ସୁଯୋଗ ମିଳିବ ବୋଲି ଘୋଷଣା ହୋଇଛି l ଚଳିତ ବର୍ଷ ପଥ ମହୋତ୍ସବ ଓ ତମାମ କାର୍ଯ୍ୟକ୍ରମକୁ ଅଧିକ ମନୋରଞ୍ଜନ ଧର୍ମୀ ଓ ଶିକ୍ଷଣୀୟ କରିବାକୁ କଳା ଓ ଶିକ୍ଷା ତଥା ସମାଜସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ନାମୀ ଦାମୀ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରି ଆଣିବାର ଯୋଜନା ରହିଛି ବୋଲି ମଧ୍ୟ ସୂଚନା ଦିଆ ଯାଇଛି l
ବୈଠକରେ କୁମାର ରଞ୍ଜନ ପଣ୍ଡା, କୈବଲ୍ୟ ପ୍ରସାଦ ମହାପାତ୍ର, ବିବେକାନନ୍ଦ ପଟ୍ଟନାୟକ, ପ୍ରଣତି ପଟ୍ଟନାୟକ, ଦୁର୍ଗାପ୍ରସାଦ ମିଶ୍ର, ବାସନ୍ତିଲତା ମହାପାତ୍ର, ସନ୍ଧ୍ୟାରାଣୀ ଦାସ, ଇଂ ସୁନିଲ କୁମାର ପ୍ରଧାନ, ଅଜିତ କୁମାର କବାଟ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟା ବୈଜୟନ୍ତୀମାଲା ପାଳ, ସହ ସମ୍ପାଦିକା ରେଣୁବାଳା ରଥ, ସହ ସମ୍ପାଦକ ସାଇ ପ୍ରକାଶ ମହାନ୍ତି, ଡାକ୍ତର ପ୍ରକାଶ କଲିଆ, ଲକ୍ଷ୍ମୀଧର ଜେନା, ଅଶୋକ ମଣ୍ଡଳ, ଅଜିତ ଭୋକ୍ତା, କମଳ ଲୋଚନ ମହାକୁଡ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିମତ ରଖିଥିଲେ।
