WhatsApp Image 2026 10 23 at 5.01.07 PM

ଆଧ୍ୟାତ୍ମିକ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ରାଜ୍ୟ

ବାରିପଦା: ଭାଷା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ \”ପ୍ରତିଶ୍ରୁତି\’ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ପ୍ରବଚନ ଜ୍ଞାନଯଜ୍ଞ ସ୍ଥାନୀୟ ୩ନଂ ୱାର୍ଡ ସ୍ଥିତ ସତ୍‌ସଙ୍ଗ ଭବନ ପରିସରରେ ପ୍ରତିଷ୍ଠାନର ସଭାପତି ଡାଃ ପାର୍ଥ ସାରଥୀ ଜେନାଙ୍କ ପୌରୋହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ବାରିପଦା ପୌରପରିଷଦର ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଜ୍ଞାନଯଜ୍ଞକୁ ଉଦ୍‌ଘାଟନ କରିବା ସହିତ ଏହି ପ୍ରବଚନ ଲୋକଙ୍କ ଭିତରେ ଥିବା ମୋହକୁ ଦୂର କରିବା ପାଇଁ ସହାୟକ ହେବ ବୋଲି କହିଥିଲେ ।

୩ନଂ ୱାର୍ଡର ୱାର୍ଡ କାଉନସିଲର ରାଜ ଗୁପ୍ତା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାଃ ଶିବାନନ୍ଦ ମହାନ୍ତି, ବିଶିଷ୍ଟ ଅତିଥି, ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ କୁମୁଦ ରଂଜନ ରାଉତ, ସମ୍ମାନୀତ ବକ୍ତା, ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଶାଖାର ସଭାପତି ଡାଃ ମହାଦେବ ଦାଶ ପ୍ରମୁଖ ଯୋଗ ଦେଇ ଭକ୍ତି ସାହିତ୍ୟ ହିଁ ସମାଜରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ବୋଲି ମତ ଦେଇଥିଲେ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ସ୍ୱାମୀ ରୁଦ୍ରବେଶାନନ୍ଦ ଗିରି ସାରଗର୍ଭକ ପ୍ରବଚନ ପ୍ରଦାନ କରି ମଣିଷ ନିଜ ଭିତରେ ଥିବା ଇର୍ଷା, ହିଂସା ଓ ଅହଂକାରକୁ ପରିତ୍ୟାଗ ନ କଲେ ଈଶ୍ୱରଙ୍କ ସାକ୍ଷାତକାର ପାଇବା ସମ୍ଭବ ନୁହେଁ ବୋଲି ବ୍ରହ୍ମର୍ଷି ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଉଦାହରଣ ଦେଇ ଶ୍ରୋତାମାନଙ୍କୁ ମନ୍ତ୍ର ମୁଗ୍‌ଧ କରିଦେଇଥିଲେ । ପ୍ରାରମ୍ଭରେ ଜଗନ୍ନାଥ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ସତସଙ୍ଗର ମହତ୍ତ୍ୱ ସମ୍ପର୍କରେ ଦେବର୍ଷି ନାରଦଙ୍କର କାହାଣୀ ମାଧ୍ୟମରେ ନିଜର ମତ ରଖିଥିଲେ । ସଭାପତି ଡାକ୍ତର ଜେନା ଶ୍ରୀମଦ୍ ଭଗବଦ୍ ଗୀତାରେ ହିଁ ମନୁଷ୍ୟ ଜୀବନର ସମସ୍ତ ସମସ୍ୟା ସମାଧାନର ସୁତ୍ର ରହିଛି ବୋଲି ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଗୋପାଳ ଚନ୍ଦ୍ର ସାହୁ, ବିଭୂ ମହାଳିକ, ବିଶ୍ୱଜିତ ମହାନ୍ତ, କୈଳାସ ଚନ୍ଦ୍ର ଧଳ, ସଭ୍ୟା ଗୀତାରାଣୀ ସାହୁ, ଭାସ୍ୱତୀ ପଣ୍ଡା, ସୁଧାମୟୀ ଦାସ, ଛବିରାଣୀ ସାହୁ ଓ କମଳିନୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।