ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଚାଲିଥିବା RWSS ଜଳଯୋଗାଣ ପ୍ରକଳ୍ପରେ କାର୍ଯ୍ୟରତ ତଥା ଏଲ ଏଣ୍ଡ ଟି କମ୍ପାନୀ ଦ୍ୱାରା ପରିଚାଳିତ ପ୍ରକଳ୍ପର କିଛି ଶ୍ରମିକ ଶ୍ରମ ସମ୍ପର୍କିତ ସମସ୍ୟା ନେଇ ଶ୍ରମ ଅଧିକାରୀଙ୍କ ନିକଟରେ ଦାବୀପତ୍ର ଦାଖଲ କରିଛନ୍ତି। ୧୨ ଘଣ୍ଟିଆ କାର୍ଯ୍ୟ, ସାପ୍ତାହିକ ଛୁଟି ନ ମିଳିବା, ବିଳମ୍ବିତ ଦରମା ଓ ଓଭର ଟାଇମ୍ ବକେୟା ନେଇ ସେମାନେ ଦାବୀପତ୍ର ରେ ଉଲେଖ କରିଛନ୍ତି। ପ୍ରକଳ୍ପରେ କାର୍ଯ୍ୟରତ ପମ୍ପ ଅପରେଟର ଓ ଇକ୍ୟୁପମେଣ୍ଟ ଅପରେଟରମାନେ ପ୍ରତିଦିନ ପ୍ରାୟ ୧୨ ଘଣ୍ଟା କାମ କରୁଛନ୍ତି। ସାପ୍ତାହିକ ଛୁଟି, ଓଭରଟାଇମ୍ ଦେୟ ଓ ଅନ୍ୟାନ୍ୟ ବକେୟା ରାଶି ପ୍ରଦାନରେ ସମସ୍ୟା ଥିବା ଶ୍ରମିକମାନେ ଦର୍ଶାଇଛନ୍ତି।କିଛି ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ଦରମା ପ୍ରଦାନରେ ୨ରୁ ୩ ମାସ ପର୍ଯ୍ୟନ୍ତ ବିଳମ୍ବ ହେଉଛି।
ବାରମ୍ବାର ଦାବି ସତ୍ତ୍ୱେ ଦରମା ସ୍ଲିପ୍ କିମ୍ବା ପେମେଣ୍ଟ ଷ୍ଟେଟମେଣ୍ଟ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି |ଶ୍ରମିକମାନେ ଯୋଗ୍ୟତା ଓ ଲାଇସେନ୍ସ ଅନୁଯାୟୀ ପ୍ରଯୁଜ୍ୟ ଦରମା ହାର ଓ ଦେୟର ହିସାବ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏଥିସହ ଉପସ୍ଥାନ ରେକର୍ଡ, ଡ୍ୟୁଟି ରେଜିଷ୍ଟର, ଦରମା ଓ ବ୍ୟାଙ୍କ ପେମେଣ୍ଟ ରେକର୍ଡ ଯାଞ୍ଚ କରି, ଆଇନ ଅନୁଯାୟୀ ଉପଯୁକ୍ତ ଦରମା, ଓଭରଟାଇମ୍, ସାପ୍ତାହିକ ଛୁଟି ଓ ବକେୟା ରାଶି ପ୍ରଦାନ ପାଇଁ ଶ୍ରମ ବିଭାଗକୁ ଅନୁରୋଧ କରିଛନ୍ତି।
