୮୮ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ବିଶିଷ୍ଟ ଚିକିତ୍ସକ, ସୁସାହିତ୍ୟିକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ୱର୍ଗତ ଡାକ୍ତର କବିପ୍ରସାଦ ମିଶ୍ରଙ୍କ ୮୮ତମ ଜୟନ୍ତୀ ସ୍ଥାନୀୟ ଲେଖକ ସମବାୟ ସମିତି ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଶିଷ୍ଟ ବ୍ୟକ୍ତିତ୍ୱ ଆଶୀଷ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟର ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଲେଖକ ଓ ଚିକିତ୍ସକ ଯୋଗଦେଇ ଡାକ୍ତର ମିଶ୍ରଙ୍କ କୃତି ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ. ପ୍ରଭାତ କୁମାର ପାଢ଼ୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରମୋଦ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ବକ୍ତା ଓ ଆଲୋଚକ ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ମନୋଜ କୁମାର ଜେନା, ଜୀତେନ୍ଦ୍ର କୁମାର କର, ଇଂ. ସୁବାସ ଚନ୍ଦ୍ର ସାହୁ, ଡାକ୍ତର ସୁଶୀଲ କୁମାର ମହାନ୍ତି ଓ ସୁନୀଲ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତର ମିଶ୍ରଙ୍କ ପ୍ରେରଣାଦାୟୀ ଜୀବନୀ ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଡାକ୍ତର କବିପ୍ରସାଦ ମିଶ୍ର ଏକାଧାରରେ ଜଣେ ପ୍ରାଚୀନ ସାହିତ୍ୟର ଅଦ୍ୱିତୀୟ ବାଗ୍ମୀ, ଦକ୍ଷ ଚିକିତ୍ସକ, ଉଚ୍ଚକୋଟୀର ସ୍ତମ୍ଭକାର, ନିଷ୍ଠାପର ସମାଜସେବୀ ତଥା ଜଣେ ଅତ୍ୟନ୍ତ ଭଦ୍ର ଓ ସ୍ନେହୀ ମଣିଷ ଥିଲେ। ସାହିତ୍ୟ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ। ତାଙ୍କର ମହାନ ଆଦର୍ଶ ଓ ସେବା ମନୋଭାବକୁ ଆଜିର ଯୁବଗୋଷ୍ଠୀ ନିଜ ଜୀବନରେ ପାଳନ କରି ଆଗକୁ ବଢ଼ିବା ଉଚିତ୍ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମଗ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଇଂ. ଲଡୁକିଶୋର ପଢ଼ିଆରୀ ଦାସକାଠିଆ ଶୈଳୀ ମାଧ୍ୟମରେ ପ୍ରାଚୀନ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ସତ୍ୟନାରାୟଣ ଆଚାର୍ଯ୍ୟ ଉପସ୍ଥିତ ସମସ୍ତ ଅତିଥି ତଥା ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
