IMG 20260629 WA0259

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

ରାଜ୍ୟ
  • ୨୭ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୪୯ ଜଣଙ୍କୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ
ବାରିପଦା  : ବାରିପଦା ତହସିଲ ପକ୍ଷରୁ ସ୍ଥାନୀୟ  ରଘୁନାଥପୁରସ୍ଥିତ  ଲେପ୍ରୋସି କଲୋନୀଠାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ୨୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୪୯ ଜଣଙ୍କୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରାଯାଇଥିଲା।
               କାର୍ଯ୍ୟକ୍ରମରେ  ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ଓ ଶିରୋନାମା ବଣ୍ଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟ ସରକାର ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କର ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ରହିଛନ୍ତି। ଜଙ୍ଗଲ ଜମିର ବୈଧ ଅଧିକାର ପ୍ରଦାନ ହିତାଧିକାରୀଙ୍କ ଜୀବନଜୀବିକା ଓ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
 ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଏବଂ ପୂର୍ବତନ ବିଧାୟକ ଶ୍ରୀ କାନ୍ଦ୍ରା ସୋରେନ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଙ୍ଗଲବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
 ବାରିପଦା ତହସିଲଦାର ଶ୍ରୀ ସପନ କୁମାର ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଜଙ୍ଗଲ ଜମି ଅଧିକାର ପ୍ରଦାନ ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମ ପରେ ମାନ୍ୟବର ମନ୍ତ୍ରୀ ଏବଂ ବାରିପଦା ବିଧାୟକ କେତେକ ହିତାଧିକାରୀଙ୍କ ବାସଭବନକୁ ପରିଦର୍ଶନ କରି ସେମାନଙ୍କ ହାତରେ ଜଙ୍ଗଲ ଜମି ପଟ୍ଟା ଓ ଶିରୋନାମା ପ୍ରଦାନ କରିଥିଲେ। ଏହି ଅବସରରେ ସେମାନେ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।
ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ଅତିରିକ୍ତ ତହସିଲଦାର ଶ୍ରୀ ସଦାନନ୍ଦ ଡେଲକି ଏବଂ ଶ୍ରୀ ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିରେ  ବହୁ ସଂଖ୍ୟକ ହିତାଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।