ବାରିପଦା : ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୩ୟ ସନ୍ଧ୍ୟାରେ ମିରର ଥିଏଟର, ବେଲପାହାଡ, ଝାରସୁଗୁଡା ପ୍ରଯୋଜିତ ସମ୍ବଲପୁରୀ ନାଟକ “ଲାଲ ପାଏନ” ମଞ୍ଚସ୍ଥ ହୋଇଯାଇଛି I ଡଃ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସନ୍ତୋଷ ସାହୁ, ସୋନିଆଁ ବେହେରା, ଗୌରୀଶଙ୍କର କୁମ୍ଭାର, ଆଶିଷ ମହାନ୍ତି, ସରୋଜ ମିର୍ଦ୍ଧା ଲବ ପ୍ରଧାନ, ଅରୱାଜ ଖାନ, ବିନୟ ପ୍ରଧାନ, ଦିବ୍ୟ ରଞ୍ଜନ ସାହୁ, ସାହିଲ ସୁନା, ବର୍ଷାରାଣୀ ଧଳ, ଆୟୁଷୀ ପଟ୍ଟନାୟକ, ଭବେଶ ପ୍ରଧାନ, ସଞ୍ଜନା ମେହେର, ସାନିଆ ବେହେରା, ଖୁସି ଗୌର, ଯୋଗେଶ ସାହୁ, ତନୁଜା ମେହେର, ବିକାଶ କିସାନ ପ୍ରମୁଖ ଅଭିନୟ କରିଥିଲେ I ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କ କରୁଣ କାହାଣୀ ଉପରେ ଆଧାରିତ ନାଟକରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ପ୍ରମୋଦ ଶତପଥି, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ମୟୁରଭଞ୍ଜ ସିଟିଜେନ ଫୋରମର ସମ୍ପାଦକ ଡଃ ଶ୍ୟାମ ସୁନ୍ଦର ଦାସ ଯୋଗଦେଇ ନାଟକ ମହୋତ୍ସବର ସଫଳତା କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର, ନିର୍ଦ୍ଦେଶକ ପରେଶ ସାହୁ ଓ ସମ୍ପାଦକ ସତ୍ୟନାରାୟଣ ଦାସ ଉପସ୍ଥିତ ଥିଲେ I ଅପୂର୍ବା ସାହୁ ଓ ଶୁଭେନ୍ଦୁ ସାହୁ ମଞ୍ଚ ପରିଚାଳନା କରିଥିଲେ I ଆଜି ସକାଳେ ପ୍ରଥମେ ଯୋଗାସନ ଓ ପରେପରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଆସନ୍ତାକାଲି ପାଥ, ଜାମସେଦପୁର ପ୍ରଯୋଜିତ ହିନ୍ଦୀ ନାଟକ “କନ୍ୟାଦାନ” ପରିବେଷିତ ହେବ I
