ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି । ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି ଅପ୍ରୀତିକର ଘଟଣା ଘଟିଥିବାରୁ, ସେମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଏପ୍ରିଲ ୧୬ରୁ ମଇ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ନିମ୍ନଲିଖିତ ନିୟମ କରିଛନ୍ତି :
ପରିଚୟ ପତ୍ର : ସମସ୍ତ କର୍ମଚାରୀ ସାଙ୍ଗରେ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ରଖିବା ବାଧ୍ୟତାମୂଳକ।
ଖରା ପାଇଁ ସମୟ : ଖରାରୁ ରକ୍ଷା ପାଇବା ପାଇଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ।
ଦଳଗତ କାର୍ଯ୍ୟ : ନିଛାଟିଆ ବା ସମ୍ବେଦନଶୀଳ ସ୍ଥାନରେ ଦୁଇଜଣ କର୍ମଚାରୀ ଏକାଠି କାମ କରିପାରିବେ।
ବିପଦ ବେଳେ ସାବଧାନ : ଯଦି କେହି ଦୁର୍ବ୍ୟବହାର ବା ଧମକ ଦିଅନ୍ତି, କର୍ମଚାରୀ ସେଠାରୁ ତୁରନ୍ତ ଚାଲିଆସି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ।
ପୋଲିସ ସହାୟତା : ସମସ୍ତ କର୍ମଚାରୀଙ୍କ ବିବରଣୀ ସ୍ଥାନୀୟ ଥାନାରେ ରହିବ। ଦରକାର ପଡ଼ିଲେ ପୋଲିସ କର୍ମଚାରୀଙ୍କ ସାଙ୍ଗରେ ଯିବେ।
ଆଇନଗତ କାର୍ଯ୍ୟାନୁଷ୍ଠାନ : ଜନଗଣନା କାମରେ ବାଧା ସୃଷ୍ଟି କଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।
