Xxx

ବାରିପଦାରେ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ: ଏପ୍ରିଲ ୧୬ରୁ ଆରମ୍ଭ ହେବ ୨୪ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ

Odia ରାଜ୍ୟ

ବାରିପଦା, ୦୫/୦୪/୨୬: ମୟୁରଭଞ୍ଜ ଜିଲ୍ଲାର ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ତଥା ବିକାଶ ପାଇଁ ଏକ ଅନନ୍ୟ ସାଂସ୍କୃତିକ ଧାରା ସୃଷ୍ଟି କରିଥିବା ‘ବଳାଙ୍ଗୀ ମହୋତ୍ସବ’ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବାରିପଦାସ୍ଥିତ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ନୃତ୍ୟ ପ୍ରତିଭା ଚୟନ ଭିତ୍ତିକ କାର୍ଯ୍ୟକ୍ରମ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ ହୋଇଯାଇଛି।

୨୦୦୩ ମସିହାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟସ୍ଥ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ଏହି ମହାନ ଗଣପର୍ବ ପାଳିତ ହୋଇଆସୁଛି। ଚଳିତ ୨୪ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-୨୦୨୬, ଆସନ୍ତା ଏପ୍ରିଲ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ।

କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମାଜସେବୀ ବିଶ୍ୱଜିତ ନାୟକ, ଉପଦେଷ୍ଟା ଡ଼. ଶଶୀ ଧର ବିଶ୍ୱାଳ ଏବଂ ଅଶୋକ କୁମାର ପଲେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବଳାଙ୍ଗୀ ମହୋତ୍ସବ ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ଗଢିତୋଳିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।

ଏହି ମେଗା ଅଡିସନରେ ସବ-ଜୁନିୟର, ଜୁନିୟର ଏବଂ ସିନିୟର ବିଭାଗରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ (Choreographer) ମାଷ୍ଟର ଶଙ୍କର ପ୍ରସାଦ, ମିସ ରୁପାଲୀ ଏବଂ ମିସ ଅନିନ୍ଦିତା ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। କୃତୀ ଟପ୍-ଟେନ (Top 10) ପ୍ରତିଯୋଗୀଙ୍କୁ ଗୋଲଡେନ କାର୍ଡ ପ୍ରଦାନ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ବିଶିଷ୍ଟ ସ୍ଥପତି ମନୋଜ କୁମାର କୁଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳାଙ୍ଗୀ ମହୋତ୍ସବକୁ ମୟୁରଭଞ୍ଜର ଏକ ଅନନ୍ୟ ସଂସ୍କୃତି ଭାବେ ଅଭିହିତ କରିଥିଲେ। ଏହି ଅବସରରେ କମିଟିର ବରିଷ୍ଠ ସଦସ୍ୟ ଗୋଲୋକ ମହାନ୍ତି, ଇନ୍ଦୁମତି ମହାନ୍ତି, ଆଇନଜୀବି ରାଜକିଶୋର ମହାନ୍ତ, ସାମ୍ବାଦିକ ରୋହିତ ବେହେରା ଏବଂ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବଳାଙ୍ଗୀ ସେନାର ଦିଲ୍ଲୀପ କୁମାର ପାତ୍ର, ବିଜୁ ଜିତ, ରଞ୍ଜିତ ପଲେଇ, ସୁଦିପ ନାୟକ, ପ୍ରକାଶ କାଣ୍ଡି, ଦେବାଶିଷ ଜିତ, ବିଶ୍ୱଜିତ ପାତ୍ର, ଆକାଶ ଭଞ୍ଜଦେଓ ଏବଂ ସତ୍ୟକାମ ରାଉତଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।