- ସରିଛି ୧୬୬ କେନ୍ଦ୍ରର ଗୃହ ନିର୍ମାଣ, ୧୧କେନ୍ଦ୍ର ପାଇଁ ହୋଇପାରୁନି ସ୍ଥାନ ନିରୂପଣ
ଆଗରପଡ଼ା: ୧୯୭୫ ମସିହାରେ ଭାରତ ସରକାର ଶିଶୁ ଓ ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ଓଡ଼ିଶାରେ ୧୯୯୪-୯୫ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ବହୁ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରୁ ନଥିବା ପରିଲକ୍ଷିତ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଠାରେ । ଏହି ବ୍ଲକର ୨୫ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ ଗୋଟି ସେକ୍ଟରରେ ଭାଗ କରାଯାଇଛି । ଉକ୍ତ ସେକ୍ଟର ଗୁଡ଼ିକର ଦାଇତ୍ୱ ସୁପରଭାଇଜର ମାନଙ୍କୁ ନ୍ୟସ୍ତ କରାଯାଇଛି । ଏହି ବ୍ଲକର ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ହସ୍ତଗତ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୧୬୬ଟି କେନ୍ଦ୍ରର ଗୃହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୩ ଟି ଗୃହର ନିର୍ମାଣ କାର୍ଯ୍ୟ ସରିଥିଲେ ସୁଦ୍ଧା କାର୍ଯ୍ୟ ଅସପୂର୍ଣ୍ଣ ଯୋଗୁଁ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ । ୨୮ଟି କେନ୍ଦ୍ରର ଗୃହ ଅଧପନ୍ତରିଆ ଅବସ୍ଥାରେ ରହିଥିବାବେଳେ ବାକି ୩୧ଟି କେନ୍ଦ୍ର ମଧ୍ୟରୁ ୧୧ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରିନଥିବାବେଳେ ୨୦ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲେ ସୁଦ୍ଧା ଅର୍ଥ ଅଭାବରୁ ତାହା ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି । ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି କେନ୍ଦ୍ରରେ ଅଧ୍ୟୟନରତ କୋମଳମତୀ ଶିଶୁମାନେ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି । କେତେବେଳେ ସ୍କୁଲ ଗୃହରେ ତ କେତେବେଳେ ଖୋଲା ଆକାଶ ତଳେ ତ ଆଉ କେତେବେଳେ କାହା ଗୃହ ବାରଣ୍ଡାରେ ଶିକ୍ଷା ଲାଭ କରୁଛନ୍ତି । ସେମାନଙ୍କ ପାଇଁ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସଂପାଦନା କରାଯାଉଥିବା ଜଣାପଡ଼ିଛି । ଏହି କେନ୍ଦ୍ର ଗୁଡ଼ିକର ଅନ୍ୟାନ୍ୟ କାର୍ଯ୍ୟ ଯେପରିକି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି କାର୍ଯ୍ୟ ମଧ୍ୟ ଠିକ୍ ଭାବେ ସଂପାଦନା ହୋଇପାରୁନାହିଁ । ଏହି ସବୁକୁ ନେଇ ଅଭିଭାବକମାନଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଛନ୍ତି । ଅର୍ଥ ମଂଜୁର ହେଉଛି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷଚ୍ୟୁତ ହେବାକୁ ଯାଉଥିବାର ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ,ବୁଦ୍ଧିଜୀବୀ ତଥା ଅଭିଭାବକମାନେ ଦାବି କରିଛନ୍ତି ।
