ଏମିତି ଦଣ୍ଡ ମିଳିବ ଯାହା ସେମାନେ କେବେ କଳ୍ପନା ବି କରିନଥିବେ – ମୋଦି

ଦେଶ - ବିଦେଶ

ପାଟନା : ପହେଲଗାଓଁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଗୋଟି ଗୋଟି କରି ଖୋଜାଯିବ ଏବଂ ଦଣ୍ଡିତ କରାଯିବ। ଯେଉଁମାନେ ଏହି କାଣ୍ଡ ପଛରେ ରହିଛନ୍ତି ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହେଲଗାଓଁ ଆକ୍ରମଣ ପଛରେ ଥିବା ଆତଙ୍କୀମାନଙ୍କୁ ଏଭଳି କଠୋର ଚେତାବନୀ ଦେଇଛନ୍ତି।
ବିହାରରେ ଆୟୋଜିତ ଏକ ଜନସଭାରେ ମୋଦୀ ଯୋଗଦେଇ ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦେଶବାସୀଙ୍କୁ ଅଶ୍ଵାସନା ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହେଲଗାଓଁରେ ୨୮ ନୀରିହ ଲୋକଙ୍କୁ ହତ୍ୟା କଲେ। ଏହି ଘଟଣା ପରେ ଦେଶ ଦୁଃଖରେ ରହିଛି। ଆମେ ପୀଡ଼ିତମାନଙ୍କ ପରିବାର ସାଥୀରେ ଛିଡ଼ା ହୋଇଛୁ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦୀ କହିଛନ୍ତି।