Rahul pruyanka

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR, ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ

ଦେଶ - ବିଦେଶ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ FIR । ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଡ଼ୁଆ ବଢ଼ିଛି । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉଭୟଙ୍କ ନାଁରେ FIR ରୁଜୁ କରିଛି ଦିଲ୍ଲୀ ପୋଲିସ ।

ଖବର ମୁତାବକ, ଦିଲ୍ଲୀରେ ବିରୋଧୀ INDIA ମେଣ୍ଟର ପ୍ରତିବାଦ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳର ସାଂସଦମାନେ ପ୍ରତିବାଦ କରିଥିଲେ । ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପ୍ରତିବାଦ ବେଳେ ପୋଲିସ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ସହ ସରକାରୀ କାମରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ରାହୁଲ ଓ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପିଟିଆଇ ରିପୋର୍ଟରେ କୁହାଯାଇଛି ।

ପୂର୍ବରୁ ପ୍ରତିବାଦ ସମୟରେ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କେତେଜଣ INDIA ମେଣ୍ଟ ନେତାଙ୍କୁ ଅଟକ ରଖିଥିଲା । ଏବେ ଉଭୟ କଂଗ୍ରେସ ନେତାଙ୍କ ବିରୋଧରେ FIR ରୁଜୁ ହେବା ପରେ ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଛି । ତେବେ ଏହା ପୋଲିସ ପକ୍ଷରୁ ଆସିଥିବା ଅଭିଯୋଗ । ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ବୁଧବାରର ପ୍ରତିବାଦ ସମୟରେ ମୋଟ ୯୧ ଜଣଙ୍କୁ ପୋଲିସ ଅଟକ ରଖିଥିଲା । ରାହୁଲ ଓ ପ୍ରିୟଙ୍କାଙ୍କ ସହ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ନାଁ ମଧ୍ୟ FIRରେ ରହିଛି। ଘଟଣାର ଭିଡିଓ ଫୁଟେଜ୍ ଯାଞ୍ଚ କରୁଛି ପୋଲିସ ।