କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷରେ ବିଜ୍ଞାନ ପ୍ରଚାର ସମିତିର ୭୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଜ୍ଞାନପ୍ରେମୀ ଯୋଗଦେଇଥିଲେ।
ଏହି ଉତ୍ସବରେ ଆକାଶବାଣୀ କଟକର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡଃ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଧାରଣ ଜନତାଙ୍କ ମଧ୍ୟରେ ବିଜ୍ଞାନକୁ ଜନପ୍ରିୟ କରାଇବାରେ ଆକାଶବାଣୀ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅତୀତ ଓ ବର୍ତ୍ତମାନର ବିଜ୍ଞାନ ମଧ୍ୟରେ ଥିବା ତୁଳନାତ୍ମକ ଦିଗଗୁଡ଼ିକୁ ବହୁ ଜୀବନ୍ତ ଉଦାହରଣ ମାଧ୍ୟମରେ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ।
ଏହି ଅବସରରେ ଶ୍ରେଷ୍ଠ ଅବଦାନ ପାଇଁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା:
-
ଡଃ ଗୋକୁଳାନନ୍ଦ ମହାପାତ୍ର ସ୍ମାରକୀ ସମ୍ମାନ: ମୁଖ୍ୟ ଅତିଥି ଡଃ ହୃଷିକେଶ ପାଣିଙ୍କୁ ପ୍ରଦାନ କରାଯାଇଥିଲା।
-
ଡଃ କୁଳମଣି ସାମଲ ସ୍ମାରକୀ ସମ୍ମାନ: ମୁଖ୍ୟ ବକ୍ତା ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜଙ୍କୁ ପ୍ରଦାନ କରାଯାଇଥିଲା।
ବହୁବିଧ ପୁସ୍ତକ ଉନ୍ମୋଚିତ
ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ସମିତିର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖିତ କାଳଜୟୀ ବୈଜ୍ଞାନିକ ଉପନ୍ୟାସ “ଶହେ ବର୍ଷ ପରେ” ର ଉନ୍ମୋଚନ। ତାଙ୍କ ସୁପୁତ୍ର ଡଃ ନନ୍ଦନନ୍ଦନ ମହାପାତ୍ର ଏହି ଉପନ୍ୟାସର ଏକ ସରଳ ଓ ମାର୍ମିକ ବ୍ୟାଖ୍ୟା ଉପସ୍ଥାପନ କରିଥିଲେ।
ଏହା ସହିତ ଅତିଥିମାନଙ୍କ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ଭିତ୍ତିକ ପୁସ୍ତକ ଉନ୍ମୋଚିତ ହୋଇଥିଲା:
-
ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ: ‘ବିଜ୍ଞାନ ଯେବେ ଶିଶୁ ଥିଲା’, ‘ଭିଟାମିନ ଓ ଖଣିଜ ଲବଣ’, ‘ଜୀବଜନ୍ତୁଙ୍କ ବିଚିତ୍ର’, ‘ନୋବେଲ ପୁରସ୍କାରର ନାନାକଥା’, ‘ବିଜ୍ଞାନୀର ଦୁନିଆ’, ଓ ‘ଦେହ ଭିତରେ ହରମୋନ ଗୁଡିକର ଲୀଳାଖେଳା’
-
ଡଃ ସୁବାସିନୀ ଲେଙ୍କା: ‘ବୈଜ୍ଞାନିକଙ୍କ କୌତୁକିଆ କଥା’
-
ଡଃ ଶିବଶଙ୍କର ନାୟକ: ‘ସରଳ ବିଜ୍ଞାନ କୁଇଜ’
-
ପ୍ରଫେସର ଭାରତୀ ବେହେରା: ‘ରାଷ୍ଟ୍ର ବିକାଶରେ ନାରୀଶକ୍ତି’
-
ଡଃ ମୃଦୁଳା ମିଶ୍ର: ‘ବିଜ୍ଞାନ ବାର୍ତ୍ତା ଓ କଥା’
-
ଶ୍ରୀଯୁକ୍ତ ସୁକାନ୍ତ କିଶୋର ମହାନ୍ତି: ‘ସବୁଜ ବିପ୍ଳବର ଜନକ ସ୍ୱାମୀନାଥନ’, ପ୍ରକାଶକ ନିମାଇଁ ଚରଣ ଭୂୟାଁ, ଶ୍ରୀମା ପ୍ରକାଶନୀ, ବାଦାମବାଡ଼ି
-
ଇଂ ମାୟାଧର ସ୍ୱାଇଁ: ‘Astronomy & Space Exploration’
-
ଶ୍ରୀଯୁକ୍ତ ବ୍ରଜବନ୍ଧୁ ପୃଷ୍ଟି: ‘ବିଦ୍ୱାନ ବୈଜ୍ଞାନିକ’
ପୁସ୍ତକ ଉନ୍ମୋଚନ ପର୍ବକୁ ପ୍ରକାଶନ ସମ୍ପାଦକ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ କୁଶଳତାର ସହ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପରୀକ୍ଷା ଓ ବିଜ୍ଞାନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ସ୍କୁଲ ଓ କଲେଜର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ ଓ ଡଃ ଶିବଶଙ୍କର ନାୟକ ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଉପସଭାପତି ଡଃ ସୁବାସିନୀ ଲେଙ୍କା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ଶ୍ରୀମତୀ କବିତା ପାଟ୍ଟଶାଣୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମାରୋହରେ ପ୍ରଫେସର ପ୍ରଭାତ କୁମାର ମିଶ୍ର, ପ୍ରଫେସର ସୁଦର୍ଶନ ପଟ୍ଟନାୟକ, ଡଃ ହେମନ୍ତ କୁମାର ପରିଡା, ଡାକ୍ତର ପଦ୍ମନାଭ ବେହେରା, ଡାକ୍ତର ବରଦା ଚରଣ ମହାନ୍ତି, ଡଃ ଆଶୁତୋଷ ଦେବତା, ଡଃ ଜ୍ୟୋତ୍ସ୍ନା ମହାପାତ୍ର, ଡଃ ନାରାୟଣ ଚନ୍ଦ୍ର ପାଳ, ଡଃ ପ୍ରତିଭା ନନ୍ଦ, ଡାକ୍ତର ସୁଲିପ୍ତ କୁମାର ମହାନ୍ତି, ଶ୍ରୀ ରବିନାରାୟଣ ସାହୁ, ଡଃ ଜ୍ୟୋତିଷ ଚନ୍ଦ୍ର ମହାନ୍ତି, ଡଃ ଅକ୍ଷୟ କୁମାର ଦାଶ ଓ ଶ୍ରୀ ନିରଞ୍ଜନ ପାତ୍ରଙ୍କ ସମେତ ବହୁ ବିଜ୍ଞାନପ୍ରେମୀ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
