ଭୁବନେଶ୍ୱର: ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି କଠୋର ଆଭିମୂଖ୍ୟ ଗ୍ରହଣ କରିବ ପରିବହନ ବିଭାଗ ।
ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ସର୍କୁଲାର ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି । ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ତାକୁ ଡିଜେ ଯାନ ଭାବେ (ମୋଟର ଯାନ ଆଇନରେ ଡିଜେ ଭ୍ୟାନର କୌଣସି ପ୍ରଚଳିତ ବ୍ୟବସ୍ଥା ନାହିଁ) ପରିବର୍ତ୍ତନ କରି ବେଆଇନ ଭାବେ ବ୍ୟବହାର କରାଯାଉଛି । ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାନଗୁଡିକ ଅସୁବିଧାର ସମ୍ମୁଖୀନ ହେବା ସହ ବେଆଇନ ଉଚ୍ଚତା ଯୋଗୁଁ ସର୍ଟସର୍କିଟ୍ ଓ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି ।
ଏହି ତଥାକଥିତ ଡିଜେ ଭ୍ୟାନର ବ୍ୟବହାର ବହୁଳ ଭାବରେ ହେଉଛି । ତେଣୁ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଞ୍ଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, କୌଣସି ଯାନକୁ ମୂଳ ଢାଞ୍ଚାରୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।
ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା 190 (2) ଏବଂ ଧାରା 182 (କ) (4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା 53 ଓ 56 (4)ର ବ୍ୟବହାର କରାଯିବ ।

