ବାରିପଦା (୨୧.୦୨) : ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ସମନ୍ୱୟ ସମିତି ବୈଠକ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବାରିପଦା ଓ ରାଇରଙ୍ଗପୁର ଅଧୀନରେ ଚାଲୁଥିବା ବିଭିନ୍ନ ପାନୀୟଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସୟ୍ ଆଲୋଚନା କରିଛନ୍ତି । ଜିଲ୍ଲାର ବିଭିନ୍ନ ମେଗା, ସିଙ୍ଗଲ୍ ଓ ମଲ୍ଟି ଭିଲେଜ୍ ପାଇପ୍ ଜଳ ପ୍ରକଳ୍ପମାନଙ୍କର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
ବୈଠକରେ ଜିଲ୍ଲା ସ୍ୟାଚୁରେସନ୍ ପ୍ଲାନ୍, ମେଗା ପ୍ରକଳ୍ପମାନଙ୍କର ଭୌତିକ ଓ ଆର୍ଥିକ ପ୍ରଗତି, “ହର ଘର ଜଳ” ସ୍ଥିତି, ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏତତ୍ ବ୍ୟତୀତ ପାଇପ୍ ଜଳଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ପାଇପ୍ ଜଳ ବିଛାଇବା ସମୟରେ କିଛି ସ୍ଥାନରେ ଜମି ଉପଲବ୍ଧତା, ବନ ଅନୁମତି, ରାସ୍ତା କଟିଂ ଅନୁମତି ଓ ସ୍ଥାନୀୟ ବାଧା ସମ୍ପର୍କିତ ସମସ୍ୟା ଦେଖାଦେଇଥିବାରୁ ସମ୍ବନ୍ଧିତ ବିଭାଗମାନଙ୍କୁ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀ ସୟ୍ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲାରେ ମୋଟ ୪୦୪ଟି ଗ୍ରାମ ପଞ୍ଚାୟତ ଓ ୩,୭୧୪ଟି ଗ୍ରାମ ଅଛି। ସେଥିରୁ ୧,୮୦୩ଟି ଗ୍ରାମ (୪୮.୫୫%) ମେଗା ପାଇପ୍ ଜଳ ଯୋଗାଣ, ସିଙ୍ଗଲ୍ ଭିଲେଜ୍ ସ୍କିମ୍ / ମଲ୍ଟି ଭିଲେଜ୍ ସ୍କିମ୍ ଓ ସୋଲାର୍ ପ୍ରକଳ୍ପ ମାଧ୍ୟମରେ ଆବର୍ତ୍ତିତ ହୋଇଛି । ମେଗା ପାଇପ୍ ଜଳ ଯୋଗାଣ ଅଧୀନରେ ୪୩୫ଟି ଗ୍ରାମ, ସିଙ୍ଗଲ୍ ଭିଲେଜ୍ ସ୍କିମ୍ / ମଲ୍ଟି ଭିଲେଜ୍ ସ୍କିମ୍ ଅଧୀନରେ ୧,୨୮୦ଟି ଗ୍ରାମ ଏବଂ ସୋଲାର୍ ପ୍ରକଳ୍ପ ଅଧୀନରେ ୮୮ଟି ଗ୍ରାମରେ ଆବର୍ତ୍ତିତ ହୋଇଛି । ସେହିପରି ବିଲୁପ୍ତ ପ୍ରାୟ ଜନଜାତି ଗୋଷ୍ଠୀ (ପିଭିଟିଜି) ଅଞ୍ଚଳରେ ମୋଟ ୬୬ଟି ଗ୍ରାମ/ବସତିରେ ପାନୀୟ ଜଳ ବ୍ୟବସ୍ଥା ସ୍ୱରୂପ ୪୧ଟି କମ୍ୟୁନିଟି ଆଧାରିତ ସୋଲାର୍ ଡୁଆଲ୍ ପମ୍ପ ସମାପ୍ତ ହୋଇଛି । ଉକ୍ତ ବୈଠକରେ ସମସ୍ତ ପାନୀୟ ଜଳ ପ୍ରକଳ୍ପ ଶୀଘ୍ର ସମାପ୍ତ କରି ଜଳ ଜୀବନ ମିଶନ୍ ଅନ୍ତର୍ଗତରେ ପ୍ରତ୍ୟେକ ଘରକୁ ନଳ ଯୋଗେ ପାନୀୟ ଜଳ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି । ଆଲୋଚନା ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲାପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ବାରିପଦା) ଅଧୀକ୍ଷଣ ଯନ୍ତ୍ରୀ ଇଂ ଜ୍ଞାନେନ୍ଦ୍ର କୁମାର ନାୟକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ରାଇରଙ୍ଗପୁର ) ଅଧୀକ୍ଷଣ ଯନ୍ତ୍ରୀ ଇଂ ଶ୍ରୀକାନ୍ତ ରାଉତ୍, ଅଧୀକ୍ଷଣ ଯନ୍ତ୍ରୀ ଟିପିଏନଓଡିଏଲ୍ ଦେବଦତ୍ତ ପଣ୍ଡା ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
