Img 20250814 wa0103

ବାରିପଦା ଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ

BREAKING NEWS ରାଜ୍ୟ

ବାରିପଦା : ଆଜି ବାରିପଦାଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଇକ ରାଲି ସହିତ ତ୍ରିରଙ୍ଗା ୱାକାଥନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଏହି ଶୋଭାଯାତ୍ରା ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ରାସ୍ତାରେ ପରିକ୍ରମା କରି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପାଖରେ ସମ୍ପୂର୍ଣ୍ଣ ହୋଇଥିଲା।

ଉକ୍ତ ତ୍ରିରଙ୍ଗା ବାଇକ ଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଆଇ ଏ ଏସ ପ୍ରୋବେଶନର କାଶିଷ ବକ୍ସି ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହାପରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ବାଇକରେ ଲୋକମାନଙ୍କ ସହିତ ଏହି ରାଲିରେ ସାମିଲ ହୋଇଥିଲେ।

ସେହିପରି ୱାକାଥନ ରାଲି ରେ ଏକ ୧୦୦ ମିଟର ଲମ୍ବ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ନିଜାରତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ନାୟକ ଙ୍କ ସମେତ ସହରର ବିଭିନ୍ନ କ୍ଷେତ୍ରର ଶତାଧିକ ଜନତା ଏହି ତ୍ରିରଙ୍ଗା ପତାକା ଧରି ରାଲି ରେ ସାମିଲ ହୋଇଥିଲେ।

ଏହି ବାଇକ ଶୋଭାଯାତ୍ରାରେ ୧୦୦୦ ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ଯଥା ପୋଲିସ ପଦାଧିକାରୀ, ପୋଲିସ କର୍ମଚାରୀ, ସରକାରୀ ପଦାଧିକାରୀ, କର୍ମଚାରୀ, ଲୋକପ୍ରତିନିଧି, ଏନସିସି, ଏନଏସଏସ,କ୍ରୀଡା ଛାତ୍ର ସ୍ବେଛାସେବୀ, ଅବସରପ୍ରାପ୍ତ ସେନା କର୍ମଚାରୀ ଲିଗ ର ସଦସ୍ୟ,ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇ ଶୋଭାଯାତ୍ରାରେ ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରମ , ଭାରତ ମାତାକି ଜୟ, ଜୟ ଯବାନ ଜୟ କିଷାନ, ଇନକ୍ଲବ ଜିନ୍ଦାବାଦ ଇତ୍ୟାଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ କହିଥିଲେଯେ, ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆମ ଦେଶ ମାତୃକାର ସମ୍ମାନ ତଥା ଜାତୀୟ ପତାକା କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଆମର ଏକତା କୁ ବଜାୟ ରଖିବା ପାଇଁ ଏହି ରାଲି ରେ ସମସ୍ତେ ସାମିଲ ହୋଇଛୁ। ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଭାରତୀୟ ସେନାବାହିନୀର ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ଏହି ହର ଘର ତ୍ରିରଙ୍ଗା ଉପଲକ୍ଷେ ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗା ତଳେ ଯେତେବେଳେ ସବୁ ଭାରତୀୟ ଏକତ୍ରିତ ହେବେ ହେବେ, ସେତେବେଳେ କୌଣସି ଶକ୍ତି ଭାରତ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣୀତ କରିଥାଏ. ଆମ ପାଖରେ ସହନଶୀଳତା ରହିଛି, ମାତ୍ର ଯେତେବେଳେ ଦେଶର ସୁରକ୍ଷା ତଥା ଦେଶବାସୀଙ୍କ ଜୀବନ ପ୍ରତି ବିପଦ ଆସେ,ସେତେବେଳେ ନିଶ୍ଚିତ ଭାବେ ଶତ୍ରୁ ବିରୁଦ୍ଧରେ ଲଢୁ। ଆମର ସେନାବାହିନୀର ବୀର ଜବାନମାନେ ସିନ୍ଦୁର’ର ମର୍ଯ୍ୟାଦା ରଖି ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦେଇଛନ୍ତି । ଶତ୍ରୁ ବିରୁଦ୍ଧରେ ଲଢ଼ିବା ପାଇଁ ଆମ ସେନାବାହିନୀ ସଦା ସର୍ବଦା ପ୍ରସ୍ତୁତ। ଦେଶମାତୃକା ତଥା ଦେଶବାସୀଙ୍କ ପାଇଁ ସେମାନଙ୍କ ସେବା ଓ ତ୍ୟାଗ ଅତୁଳନୀୟ। ଆମ ଦେଶର ଯେଉଁ ମହାମନୀଷୀ ସ୍ୱାଧୀନତା ସଂଗ୍ରାମୀମାନେ ଆମ ପାଇଁ ସ୍ୱାଧୀନତା ଆଣିଥିଲେ ଏବଂ ବୀର ଜବାନ ମାନଙ୍କୁ ମୁଁ ହୃଦୟରୁ ସମ୍ମାନ ଜଣାଉଛି ବୋଲି ସେ କହିଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମା ନନ୍ଦ ବେହେରା, ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ସାହୁ ରାଉତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ କିଷାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ୱାର୍ଡର କାଉ ସିଲର ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ଏହି ଅବସରରେ ରାଲି ସମ୍ପୂର୍ଣ୍ଣ ହେବାପରେ ଅଂଶ ଗ୍ରହଣକାରୀ ମାନେ ଫାଇଲେରିଆ ନିରାକରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖୋଲାଯାଇଥିବା କ୍ୟାମ୍ପରେ ସମସ୍ତେ ଏହି ଔଷଧ ସେବନ କରିଥିଲେ।

Shrutilipi ad