Untitled 2026 01 04 08 57 05

ପଥର ଖଣିରେ ବିସ୍ଫୋରଣ, ୪ ଶ୍ରମିକ ମୃତ

ରାଜ୍ୟ

ଓଡ଼ାପଡ଼ା: ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ଶନିବାର ଏକ କଳା ମୁଗୁନି ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିଛି ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ଦେବଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବରପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଶ୍ରମିକଙ୍କ ମୃତଦେହ ଲୁଚାଇ ଦିଆଯାଇଛି କିମ୍ବା ଅନ୍ୟତ୍ର ନେଇ ଯାଇଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି।

ତଦନ୍ତ ପରେ ଶ୍ରମିକ ମୃତ୍ୟୁର ସତ୍ୟତା ଜଣାପଡ଼ିବ: ପୁଲିସ

ଓଡ଼ାପଡ଼ା ତହସିଲ ଅଞ୍ଚଳର ବିଭିନ୍ନ ଖଣି ଖାଦାନରେ ଶ୍ରମିକମାନଙ୍କ ମୃତ୍ୟୁ ଘଟିଲେ ଖଣି ମାଲିକମାନେ ପୁଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ହାତକରି ମାମଲା ରଫାଦଫା କରିଦେଉଥିବା ଅଭିଯୋଗ ହୋଇଆସୁଛି। ଫଳରେ ପ୍ରକୃତ ଦୋଷୀ ଖସିଯାଉଥିବା କୁହାଯାଉଛି। ଦୁର୍ଘଟଣା ଖବର ପାଇ ସାଂସଦ ରୁଦ୍ରନାରାୟଣ ପାଣି ଦୁଃଖ ପ୍ରକାଶ କରିବା ସହ ଜିଲ୍ଲାପାଳ‌ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଯୋଗାଯୋଗ କରି ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ମୋଟଙ୍ଗା ଥାନା ଆଇଆଇସି ଦୀପକ କୁମାର ଲେଙ୍କାଙ୍କୁ ପଚାରିବାରୁ ଘଟଣାର ସତ୍ୟତା ଥିବା କହିଛନ୍ତି। ତେବେ ଖଣିରେ କୌଣସି ବ୍ୟକ୍ତି ନାହାନ୍ତି। କେତେ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି।

ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କହିଛନ୍ତି, ଏପରି ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ କେତେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ‌ସୋନକର କହିଛନ୍ତି, ମୃତାହତଙ୍କ ସଂଖ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ଘଟିଥିବା ସ୍ଥାନଟି ହାତୀପ୍ରବଣ ଅଞ୍ଚଳ ସହିତ ଖଣି ଅଞ୍ଚଳ ହୋଇଥିବାରୁ ବିସ୍ଫୋରକ ଖଞ୍ଜାଯାଇଥିବା ଆଶଙ୍କା ରହିଛି। ରାତିରେ ସେଠାକୁ ଯିବା ସମ୍ଭବପର ହୋଇପାରୁନି। ତେବେ ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି।

Shrutilipi ad