IMG 20260401 WA0219

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ 

ରାଜ୍ୟ
ବାରିପଦା : ଭାଷା ଓ ଭୂମି ଜାତୀୟତାର ସ୍ମୃତି ଚାରଣ ସ୍ମାରକୀ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକାନବେତମ ଉତ୍କଳ ଦିବସ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ ଗଠନରେ ଆମ ପୂର୍ବ ପୁରୁଷମାନଙ୍କର ଅସୀମ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆମେ ତାଙ୍କର ଉତ୍ତର ଦାୟାଦ ଭାବରେ ନିଜର ନୈତିକ ଦାୟିତ୍ୱ ସମ୍ପନ୍ନ କରି ତାଙ୍କର ତ୍ୟାଗର ମହତ୍ତ୍ୱ ରକ୍ଷା କରିବା ବୋଲି କହିଥିଲେ|
ସମ୍ମାନିତ ଅତିଥି ଭାବରେ ବାରିପଦାର ସମାଜସେବୀ ତଥା ଶିକ୍ଷାବିତ୍‌ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗଦାନ କରି ନିଜ ବକ୍ତବ୍ୟରେ ଆନ୍ତରିକତା ବିନା ଜାତୀୟତା ତିଷ୍ଠି ରହିପାରିବ ନାହିଁ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପଫେସର ବବ୍ରୁବାହନ ମହାପାତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ବିବରଣୀକୁ ନିଜ ଅଭିଭାଷଣରେ ଜୀବନ୍ତ କରି ତୋଳି ଧରିଥିଲେ । ମାତୃଭାଷା କିପରି ଗୋଟିଏ ପ୍ରଦେଶ ଗଠନ କରିବାରେ ଭିତ୍ତିଭୂମି ରୂପେ ଦଣ୍ଡାୟମାନ ହୋଇ ରହିଥିଲା, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁଷ୍ପା ପାତ୍ର ଯୋଗଦାନ କରି ଭାଷା ଓ ସାହିତ୍ୟର ଚର୍ଚ୍ଚା କିପରି ଜାତୀୟତାବୋଧ ସୃଷ୍ଟି କରେ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ|
ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରଙ୍ଗୋଲି ପ୍ରତିଯୋଗିତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀ ଶାଶ୍ୱତୀ ଆଚାର୍ଯ୍ୟ ପ୍ରଥମ, ଓଡ଼ିଆ ବିଭାଗ ଛାତୀ କାବେରୀ ଜେନା ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ଅନୁରାଧା ଦାସ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନ ଓ ଓଡ଼ିଆ ବିଭାଗ ଛାତ୍ରୀ ପ୍ରମିଳା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ର ନିତିଶ କୁମାର ରାଉତ ପ୍ରଥମ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ଅର୍ଜୁନ କୁମାର ବାରିକ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ସ୍ୱାତୀ ସ୍ୱାଗତିକା ରାୟ ଯୁଗ୍ମ ଭାବେ ଦ୍ୱିତୀୟ ଓ ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଲତିକାଞ୍ଜଳି ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପିଠା ପ୍ରତିଯୋଗିତାରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଉତ୍କଳିକା ମହାନ୍ତ ପ୍ରଥମ ଏବଂ ଦଳଗତ ଭାବେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ର ନିତିଶ କୁମାର ରାଉତ, ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ସୁଧାଂଶୁ ଶେଖର ପ୍ରଧାନ ଓ ବ୍ୟବସାୟ ପ୍ରଶାସନ ବିଭାଗର ଛାତ୍ରୀ ଅର୍ଘ୍ୟରୁପା ରାଉତ ଯୁଗ୍ମ ଭାବରେ ଦ୍ୱିତୀୟ ଏବଂ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ରୀ ସାଇଶିଖା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ|
ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରୀ ମାନସୀ ମିଶ୍ର ଅତିଥିଗଣଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସର୍ବ ଶେଷରେ ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନେ ଯୋଗଦାନ କରିଥିଲେ ।