ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ନିଜ ଲିଖିତ ୫୦ ଟି ଶିଶୁ କବିତା ପୁସ୍ତକ “କଅଁଳ କଢି” ଦାନ କରିଛନ୍ତି କବି, ଗାଳ୍ପିକା ସୁଚରିତା ମହାନ୍ତି l ଏହି ପୁସ୍ତକ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବହି ପଢିବା ପାଇଁ ଉତ୍ସାହିତ କରିଛନ୍ତି I ଛୋଟ ଛୋଟ ପିଲାମାନେ କଅଁଳ କଢି଼ ସଦୃଶ୍ୟ I ସେମାନେ କିପରି ପାଠପଢ଼ାରେ ମନଦେଇ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିବେ ସେ ବିଷୟରେ ଶ୍ରୀମତୀ ମହାନ୍ତି ପିଲାମାନଙ୍କୁ ବୁଝାଇଥିଲେ|
ଅତି ଅଳ୍ପ ବୟସରୁ ପିଲାମାନେ ମୋବାଇଲ ସହିତ ଏତେମାତ୍ରାରେ ଜଡିତ ହୋଇଯାଇଛନ୍ତି ଯେ ସେମାନେ ବହି ପଢିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି I ତେଣୁ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରେଇରଖିବା ସହ କବିତା ଓ ଗଳ୍ପ ବହି ପଢିବା ପାଇଁ ଉତ୍ସାହିତ କରିବାକୁ ସେ ଶିକ୍ଷକ/ଶିକ୍ଷୟତ୍ରୀ ଓ ଅବିଭାବକ ମାନଙ୍କୁ ଅନୁରୋଧ କରିଥିଲେ I ବହିର ବିକଳ୍ପ କେବେ ମୋବାଇଲ ହୋଇପାରିବ ନାହିଁ ସେ ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ପୂର୍ବବର୍ଷ ମାନଙ୍କରେ ସେ ନିଜ ଉଦ୍ୟମରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଫଳ ଓ ଫୁଲ ଗଛ ଲଗାଇ ଛାତ୍ରଛାତ୍ରୀମାନଙ୍କୁ ସେଗୁଡିକର ଯତ୍ନ ନେବା ପାଇଁ ମଧ୍ୟ ଉତ୍ସାହିତ କରିଥିଲେ I ହଷ୍ଟେଲରେ ରହି ପଢ଼ୁଥିବା ଗରିବ ମେଧାବୀ ଛାତ୍ର ମାନସ ନାୟକ ଜାତୀୟ ସ୍ତରୀୟ ଖେଳରେ ଅଂଶଗ୍ରହଣ କରି ଫେରିବା ପରେ ତାଙ୍କୁ ସେ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ I ବିଦ୍ୟାଳୟ ପାଇଁ ତାଙ୍କର ଏହି ଦାନକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଓ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରୀମତୀ ମିହାନ୍ତି ଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି|
